ଓଡିଶା

odisha

By

Published : Sep 15, 2022, 9:27 PM IST

ETV Bharat / state

ଭଙ୍ଗା କୁଡିଆରେ କଟୁଛି ସ୍ୱିିମିଂ କ୍ୱିନ୍ ମମତାଙ୍କ ଜୀବନ, ଦୁଃଖ ଶୁଣୁନାହାଁନ୍ତି ସରକାର

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଜାତୀୟସ୍ତରୀୟ ସନ୍ତରଣକାରୀ । ଦିନେ ନିଜ କୀଡ଼ା କୌଶଳରେ ରାଜ୍ୟର ଟେକ ରଖିଥିଲେ, ଆଜି ତାଙ୍କ ଅବସ୍ଥା ଶୋଚନୀୟ (national level swimmer Mamata Bhoi living in a hut) । ସମ୍ବଲପୁର ସିଦ୍ଧେଶ୍ବରବେରନା ବସ୍ତି ଅଞ୍ଚଳର ମମତା ଭୋଇଙ୍କୁ ଚାକିରି ଓ ଘର ଯୋଗାଇ ଦେବାକୁ ହୋଇଛି ଦାବି ।

national level swimmer Mamata Bhoi living in a hut due to financial crisis in Sambalpur
ଭଙ୍ଗା କୁଡ଼ିଆରେ ଜାତୀୟସ୍ତରୀୟ ସ୍ବିମର ମମତା ଭୋଇ, ଶୁଣୁ ନାହାନ୍ତି ସରକାର

ସମ୍ବଲପୁର: ମନରେ ଅସୁମାରୀ ସ୍ବପ୍ନ ଓ ସାମର୍ଥ୍ୟ ନେଇ କ୍ରୀଡ଼ା ଜଗତରେ ପାଥ ଥାପି ଥାଏ କ୍ରୀଡ଼ାବିତ୍‌ଟିଏ । ଏହିଭଳି ଭାବରେ ନିଜର ସ୍ବପ୍ନ ପୂରଣ କରିବା ସହ ରାଜ୍ୟ ତଥା ଦେଶ ପାଇଁ ଯଶ ଆଣିଥାନ୍ତି । ହେଲେ ପ୍ରତିବଦଳରେ ତାଙ୍କୁ ମିଳେ କଣ ? କ୍ରୀଡ଼ା ଜଗତରେ ଏମାନଙ୍କ ଜଲଓ୍ୱା ଶେଷ ହେଲେ ମିଳେ ଗରିବୀ, ଅସହାୟତା, ଦୁର୍ଦ୍ଦିନର ସମୟ । ଏହାର ଏକ ଜ୍ବଳନ୍ତ ଉଦାହରଣ ସମ୍ବଲପୁର ସିଦ୍ଧେଶ୍ବରବେରନା ବସ୍ତି ଅଞ୍ଚଳରେ ଦେଖିବାକୁ ମିଳିଛି । ଜାତୀୟସ୍ତରୀୟ ସନ୍ତରଣକାରୀ ମମତା ଭୋଇ ଏବେ ଏକ ଝାଟିମାଟି କୁଡ଼ିଆ ଘରେ ରହିବାକୁ ବାଧ୍ୟ ହେଉଛନ୍ତି (national level swimmer Mamata Bhoi living in a hut)।

ଭଙ୍ଗା କୁଡ଼ିଆରେ ଜାତୀୟସ୍ତରୀୟ ସ୍ବିମର ମମତା ଭୋଇ, ଶୁଣୁ ନାହାନ୍ତି ସରକାର

ସାହାରା ଦେଇଛି କୁଡ଼ିଆ ଘର

ଜାତୀୟ ସ୍ତରରେ ମୁମ୍ବାଇ, ଗୋଆ ଆଦି ସ୍ଥାନରେ ସ୍ବିମିଂ ପ୍ରତିଯୋଗିତାରେ ପଦକ ଜିତିଛନ୍ତି ମମତା । ହେଲେ ଏହି ପଦକ ଏବେ ତାଙ୍କର ତାଙ୍କର କୌଣସି କାମରେ ଲାଗି ପାରିନି । ଜାତୀୟସ୍ତରରେ ସେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଏହାକୁ ନେଇ ସେ ଗର୍ବ ମଧ୍ୟ କରନ୍ତି । ରାଜ୍ୟ ପାଇଁ ପଦକ ଜିତିବା କାହା ପାଇଁ ବା ଗର୍ବର ବିଷୟ ନହେବ । ହେଲେ ଏଭଳି ଜଣେ କ୍ରୀଡ଼ାବିତ୍‌ ଆଜି ଅଣଦେଖାର ଶିକାର ହୋଇଛନ୍ତି ।

କାମରେ ଆସୁନି ସାର୍ଟିଫିକେଟ

ଜାତୀୟ ସ୍ତରୀୟ ସ୍ବିମିଂ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି ମମତା ଭୋଇ । ହାତରେ ଗଦାଗଦା ସାର୍ଟିଫିକେଟ । କେବଳ ସନ୍ତରଣ ନୁହେଁ ବରଂ ଅନ୍ୟାନ କ୍ରୀଡ଼ାରେ ମଧ୍ୟ ସେ ପାରଙ୍ଗମ ଥିଲେ । ଏଥିପାଇଁ ଅନେକ ସ୍ଥାନରେ ସେ ପୁରସ୍କୃତ ହୋଇଥିଲେ । ହେଲେ ଏହି ସାର୍ଟିଫିକେଟ ଏବେ କୌଣସି କାମରେ ଲାଗି ପାରୁନି । ସମ୍ବଲପୁରର ଏକ ରେଳ ଫାଟକ ନିକଟରେ ଜରିପାଲ ଟାଣି ରହିବାକୁ ବାଧ୍ୟ ହୋଇଛନ୍ତି ମମତା ।

ଲୋଡ଼ିଛନ୍ତି ସରକାରୀ ସହାୟତା

ମମତାଙ୍କ ଏକ ଝିଅ ମଧ୍ୟ ରହିଛି । ଝିଅକୁ ପାଠ ପଢ଼ାଇବା ପାଇଁ ସେ କେତେ ଯେ କଷ୍ଟ କରୁଛନ୍ତି ତାହାର ହିସାବ ନାହିଁ । ଝିଅ ଭବିଷ୍ୟତ ଗଢ଼ିବାକୁ ସେ ପାରୁ ପର୍ଯ୍ୟନ୍ତ ପ୍ରୟାସ କରୁଛନ୍ତି । ଏଥିପାଇଁ ଲୋଡ଼ିଛନ୍ତି ସରକାରୀ ସହାୟତା ।

ଏହାକୁ ନେଇ ମମତା ଭୋଇ କହିଛନ୍ତି, "ମୋର କିଛି ଆବଶ୍ୟକ ନାହିଁ । ମୋତେ ଛୋଟିଆ କାମ ଖଣ୍ଡେ ଦେଲେ ମୁ ଘର ଚଳାଇ ପାରନ୍ତି । ସରକାର ମୋତେ ଟିକିଏ କାମ ଯୋଗାଇ ଦିଅନ୍ତୁ । ଝାଡ଼ୁମରା କାମ ଦେଲେ ବି ମୁ କରିବି ।"

ଏହାକୁ ନେଇ ମମତାଙ୍କ ବାନ୍ଧବୀ କହିଛନ୍ତି, "ଆମେ ଏକାସାଙ୍ଗେ ଖେଳିଛୁ ପଢ଼ିଛୁ ଓ ବଢ଼ିଛୁ । ମୁମ୍ବାଇ, କୋଲକାତା, ଗୋଆ ଯାଇ ମମତା ପଦକ ହାସଲ କରିଛନ୍ତି । ଝିଅଟେ ହେବାପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଦେଇଛନ୍ତି । ଲକଡାଉନ୍‌ ସମୟରେ ତାଙ୍କ ଅବସ୍ଥା ଆହୁରି ଖରାପ ଥିଲା । ଏହାପୂର୍ବରୁ ସ୍ଥିତି ଆହୁରି ଖରାପ ହୋଇଥିଲା । ସରକାରୀ ଚାକିରି ଖଣ୍ଡେ ମିଳିଲେ ସେ ଉପକୃତ ହୋଇ ପାରନ୍ତେ ।"

ସହାୟତା ଦେଇଥିଲେ ସମାଜସେବୀ

କିଛି ସମାଜସେବୀ ମମତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ମମତାଙ୍କ ନିକଟରେ ପହଞ୍ଚି ତାଙ୍କୁ କିଛି ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । ମମତାଙ୍କ ଘର ଅବସ୍ଥା ଦେଖି ସମାଜସେବୀଙ୍କ ଆଖିରେ ବି ଲୁହ ଆସିଯାଇଥିଲା ।

ଏହାକୁ ନେଇ ସମାଜସେବୀ ହରଦୀପ ସିଂ ଭୁର୍ଜି କହିଛନ୍ତି, "ପ୍ରଥମେ ଆମେ ଯେତେବେଳେ ତାଙ୍କ ଅବସ୍ଥା ଦେଖିଲୁ ଆମେ ବିଶ୍ବାସ କରି ପାରିଲୁନାହିଁ । ସତରେ କାହା ଅବସ୍ଥା ଏଭଳି ହୋଇପାରେ । ଏହାପରେ ଆମେ ତାଙ୍କୁ ମାସକ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲୁ । ଆମେ ତାଙ୍କ ସବୁ ସାର୍ଟିଫିକେଟ ଦେଖିଲୁ । ଆମେ ତାଙ୍କୁ ପ୍ରଶାସନ ସହୟତାରେ ସମସ୍ତ ସାହାଯ୍ୟ କରିବୁ ବୋଲି କହିଥିଲୁ ।"

ମମତାଙ୍କ ଦୁର୍ଦ୍ଦଶାକୁ ନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯାଇଥିଲା । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମମତାଙ୍କୁ ଯାହା ବି ସହାୟତା ଯୋଗାଇ ଦିଆଯାଇପାରିବ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଅତିରିକ୍ତ ଜିଲ୍ଲାପାଲ ଉମାକାନ୍ତ ରାଜ କହିଛନ୍ତି, "ସେ ଆଗରୁ ଜାତୀୟ ସ୍ବିମିଂ ଚମ୍ପିଆନସିପ୍‌ରେ ଭାଗ ନେଇଥିବା ଜଣାପଡ଼ିଛି । ତାଙ୍କ ଝିଅକୁ କିଭଳି ପୁନଃର୍ବାସ ହୋଇ ପାରିବ ସେ ଦିଗରେ କାର୍ଯ୍ୟ କରାଯିବ । ଏ ବିଷୟରେ ଆମେ ଅବଗତ ନଥିଲୁ । ଜିଲ୍ଲାପାଳଙ୍କ ସହ ଆଲୋଚନା ପର ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।"

କ୍ରୀଡା ପାଇଁ ଦିନେ ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିଲେ ମମତା ଭୋଇ । ଆଜି ତାଙ୍କ ଅବସ୍ଥା ଦେଖିଲେ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ କ୍ୟାରିଅର ଗଢିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ଉପରେ କି ପ୍ରଭାବ ପଡିବ ତାହା ବେଶ୍‌ ବାରି ହୋଇ ପଡ଼ୁଛି । ଯଥାଶୀଘ୍ର ମମତାଙ୍କୁ ଘର ଓ ଚାକିରିଟିଏ ପ୍ରଦାନ କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details