ସମ୍ବଲପୁର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ l ରାଜ୍ୟର ପାରମ୍ପରିକ ଦକ୍ଷତା ଓ ବୁଣାକାର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଛି । ଏହି କ୍ରମରେ ସମ୍ବଲପୁରୀ ବାନ୍ଧକଳା ବା ସମ୍ବଲପୁରୀ ବସ୍ତ୍ରର ଚାହିଦା କ୍ରମଶଃ ବଢ଼ିବାରେ ଲାଗିଛି । ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସମ୍ବଲପୁରୀ ହସ୍ତତନ୍ତର ଆହୁରି ପ୍ରଚାରପ୍ରସାର ଦିଗରେ ସମ୍ବଲପୁରରେ ଏକ ନିଆରା ପ୍ରୟାସ କରାଯାଇଛି । ସମ୍ବଲପୁରୀ ବସ୍ତ୍ର ଓ ବାନ୍ଧ କଳାର ପ୍ରଚାର ପ୍ରସାର ପାଇଁ ସମ୍ବଲପୁର ବୁଢ଼ାରଜା ଅଞ୍ଚଳର ଏକ ହୋଟେଲରେ ସମ୍ବଲପୁରୀ ଫେସନ ସୋ' ଆୟୋଜନ ହୋଇଯାଇଛି । ଏହି ରାମ୍ପ୍ ସୋ'ରେ ରାଜ୍ୟ ତଥା ଜାତୀୟସ୍ତରର ନାମୀ ମଡେଲମାନେ ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ ସହ ଅତ୍ୟାଧୁନିକ ସମ୍ବଲପୁରୀ ଡିଜାଇନର ଆଉଟ୍ଫିଟ୍ ପିନ୍ଧି ରାମ୍ପ୍ରେ ଚାଲିଛନ୍ତି ।
ସମ୍ବଲପୁରୀ ଶାଢ଼ୀ ଦେଶ ତଥା ବିଶ୍ୱ ସ୍ତରରେ ଏହାର ସ୍ୱତନ୍ତ୍ରତା ଯୋଗୁଁ ବେଶ ପ୍ରସିଦ୍ଧି ପାଇ ସାରିଛି । ଜାତୀୟ ସ୍ତରର ନେତା ହୁଅନ୍ତୁ କି ବଲିଉଡ ସେଲିବ୍ରିଟି ସମସ୍ତେ ଏହାକୁ ଆପଣାଇଛନ୍ତି । ସମ୍ବଲପୁରୀ ଶାଢ଼ୀ ହେଉକି କପଡ଼ା ଏହାକୁ ତିଆରି କରିବାକୁ ବୁଣାକାରମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ତେବେ ଏହାର ସଠିକ ପାଉଣା ବୁଣାକାରଙ୍କୁ ମିଳି ନଥାଏ । ଅନ୍ୟପଟେ ନକଲି ଛାପା ସମ୍ବଲପୁରୀ ଶାଢ଼ୀ ବୁଣାକାର ଓ ବ୍ୟବସାୟୀଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଇ ଥାଏ l ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁରୀ ବାନ୍ଧକଳା ଓ ବସ୍ତ୍ର ବାବଦରେ ସଚେତନତା ଓ ଏହାର ପ୍ରଚାରପ୍ରସାର କରିବା ଉଦ୍ଦେଶ୍ୟରେ ସମ୍ବଲପୁରରେ ଆୟୋଜିତ ହୋଇଛି ଫେସନୋଭା- 2023 l ସମ୍ବଲପୁର ବୁଢାରଜା ଅଞ୍ଚଳର ଏକ ହୋଟେଲରେ Next Gen. ସଂସ୍ଥା ପକ୍ଷରୁ ଏହି ରାମ୍ପ୍ ସୋ' ଅନୁଷ୍ଠିତ ହୋଇଥିବା ବେଳେ ବରଗଡ଼ର ସମ୍ବଲପୁରୀ ବସ୍ତ୍ରାଳୟ ଏଥିରେ ସହଯୋଗ କରିଥିଲେ ।