ଓଡିଶା

odisha

By

Published : May 29, 2023, 9:10 PM IST

ETV Bharat / state

ଦାୟିତ୍ବ ନେଲେ ସମ୍ବଲପୁରର ନୂଆ ଏସପି, ଚାଲେଞ୍ଜ ହେବ କି ସାମ୍ପ୍ରଦାୟିକ ହିଂସା ?

ସମ୍ବଲପୁରର ନୂଆ ଏସପି ଭାବେ ପୂର୍ବତନ ଏସପି ବତୁଲା ଗଙ୍ଗାଧରଙ୍କ ଠାରୁ ପଦ ଗ୍ରହଣ କରିଛନ୍ତି ମୁକେଶ ଭାମୁ। ନୂତନ ଏସପିଙ୍କ ଆଗରେ କ'ଣ ସବୁ ଚାଲେଞ୍ଜ ରହିଛି ? ଜାଣିବା ପାଇଁ ଅଧିକ ପଢନ୍ତୁ

ଦାୟିତ୍ବ ନେଲେ ନୂଆ ଏସପି
ଦାୟିତ୍ବ ନେଲେ ନୂଆ ଏସପି

ଦାୟିତ୍ବ ନେଲେ ନୂଆ ଏସପି

ସମ୍ବଲପୁର: ସମ୍ବଲପୁରର ନୂଆ ଏସପି ଭାବେ ଯୋଗ ଦେଲେ ମୁକେଶ ଭାମୁ । ଗତ ରବିବାର ସେ ସମ୍ବଲପୁର ଏସପି କାର୍ଯ୍ୟାଳୟରେ ପୂର୍ବତନ ଏସପି ବତୁଲା ଗଙ୍ଗାଧରଙ୍କ ଠାରୁ ପଦ ଗ୍ରହଣ କରିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ନୂତନ ଏସପିଙ୍କ ପାଇଁ ବଡ଼ ଚେଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।

ହନୁମାନ ଜୟନ୍ତୀ ସମୟରେ ହୋଇଥିବା ହିଂସା ଯୋଗୁଁ ବର୍ତ୍ତମାନ ସମ୍ବଲପୁରର ସାମ୍ପ୍ରଦାୟିକ ସଦଭାବନା ସ୍ୱାଭାବିକ ଅବସ୍ଥାରେ ନାହିଁ। ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ସମୟରେ ବାଇକ ଶୋଭାଯାତ୍ରାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକଙ୍କ ପକ୍ଷରୁ ପଥର ମାଡ଼ ଓ ପରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଯିବା ଘଟଣା ପରେ ସମ୍ବଲପୁର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଏପରି ସ୍ଥିତିରେ ସମ୍ବଲପୁର ସହରରେ ଇଣ୍ଟରନେଟ ସେବା କାଟି ଦିଆଯିବା ସହ କର୍ଫ୍ୟୁ ଜାରି ହୋଇଥିଲା।

ଯଦିଓ ଧୀରେ ଧୀରେ ସ୍ଥିତି ପୂର୍ବ ଅବସ୍ଥାକୁ ଫେରୁଥିବାବେଳେ ସମ୍ପୂର୍ଣ୍ଣ ରୂପେ ସ୍ବାଭାବିକ ହୋଇନି। ଘଟଣା ପରେ ପୂର୍ବତନ ଏସପି ଓ ପୋଲିସ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ନୂତନ ଏସପିଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ । ଅନ୍ୟପଟେ ବର୍ତ୍ତମାନ ସହରରେ ନିଶା କାରବାର, ବେଆଇନ ଗୋଚାଲାଣ, ଅପରାଧିକ କାର୍ଯ୍ୟକଳାପ ଆଦି ବୃଦ୍ଧି ପାଇବାରେ ଲାଗିଛି।

ଏହାକୁ ନେଇ ନୂତନ ଭାବେ ଯୋଗଦାନ କରିଥିବା ଏସପି ମୁକେଶ ଭାମୁ କହିଛନ୍ତି, "ଅପରାଧୀମାନଙ୍କୁ କିଛି କହିବାର ନାହିଁ କେଵଳ ଆକ୍ସନ ହେବ ।" ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ ସମଲେଶ୍ୱରୀଙ୍କ ଜିଲ୍ଲାରେ କାର୍ଯ୍ୟ କରିବାର ସୁଯୋଗ ମିଳିଛି, ସମ୍ବଲପୁରବାସୀ ଯେଉଁ ବିଶ୍ୱାସ ରଖିଛନ୍ତି ସେହି ସେହି ଅନୁସାରେ କାର୍ଯ୍ୟ କରାଯିବ । ସମ୍ବଲପୁରବାସୀଙ୍କୁ ପ୍ରାଥମିକତା ପୂର୍ବକ ପୋଲିସ ବିଭାଗ ନିଷ୍ପତ୍ତି ନେବ ବୋଲି କହିଛନ୍ତି ନୂତନ ଏସପି ମୁକେଶ ଭାମୁ ।

ସବୁଠି ବିଭିନ୍ନ ପ୍ରକାର ସମସ୍ୟା ରହିଛି। ସେଥିପାଇଁ ସ୍ଥାନୀୟ ଲୋକଙ୍କ ସହ ମିଳିମିଶି କାର୍ଯ୍ୟ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି । ତେବେ ନୂତନ ଭାବେ ଯୋଗ ଦେଇଥିବାରୁ କିଛି ଦିନ ସମୟ ଲାଗିବ ପରେ ସବୁ ସ୍ଥିତି ବଦଳିଯିବ ବୋଲି ଏସପି ପ୍ରକାଶ କରିଛନ୍ତି। 2011 ବ୍ୟାଚ ଆଇପିଏସ ବତୁଲା ଗଙ୍ଗାଧର 2020 ଡିସେମ୍ବର 26 ତାରିଖ ଦିନ ସମ୍ବଲପୁର ଏସପି ଭାବେ ଯୋଗ ଦେଇଥିଲେ। ପ୍ରାୟ ଅଢେଇ ବର୍ଷ ପରେ ତାଙ୍କୁ ମୟୁରଭଞ୍ଜକୁ ବଦଳି କରାଯାଇଛି । ଅନ୍ୟପଟେ 2013 ବ୍ୟାଚ ଆଇପିଏସ ମୁକେଶ ଭାମୁ ରାଉରକେଲା ଏସପି ଥିବାବେଳେ ବର୍ତ୍ତମାନ ସେ ସମ୍ବଲପୁର ଏସପି ଭାବେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details