ସମ୍ବଲପୁର: ଦିବ୍ୟାଙ୍ଗ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କେନାଲ ପଡ଼ାରେ ଘଟିଛି ଏହି ଘଟଣା । ଘଟଣାଟି ଗତ 29 ତାରିଖରେ ଘଟିଥିଲେ ମଧ୍ୟ ପ୍ରଘଟ ହୋଇନଥିଲା । ତେବେ ଏହି ଘଟଣାଟି ବୁଧବାର ପ୍ରଘଟ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଦିବ୍ୟଙ୍ଗ ନାବାଳିକା ଓ ତାଙ୍କ 2 ଛୋଟ ଭାଇକୁ ଗତ 29 ତାରିଖ ସକାଳ 5 ଟା ସମୟରେ ବିଧବା ମାଆ ଘର ବାହାର ପଟୁ ତାଲା ପକାଇ ଶୌଚ ହେବାକୁ ଯାଉଥିଲେ । ଏହି ସମୟରେ ଘର ପାଖର ଜଣେ ଯୁବକ ଏହି ଅବସରର ଫାଇଦା ନେଇ ଘରର ତାଲା ଭାଙ୍ଗି ଦୁଷ୍କର୍ମ କରିଥିବାର ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ନିଜେ ପିଡ଼ିତାଙ୍କ ମାଆ ସେଦିନ ଶୌଚ କରି ଘରକୁ ଫେରିବା ସମୟରେ ତାଙ୍କ ଘରର ତାଲା ଭାଙ୍ଗି ଜଣେ ଯୁବକ ତାଙ୍କ ନାବାଳିକା ଝିଅ ସହ ଅତ୍ୟାଚାର କରିଥିବା ଦେଖିଥିଲେ ।