ସମ୍ବଲପୁର: ସମ୍ବଲପୁର ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ । ଆଜି ମନ୍ତ୍ରୀ ଅରୁଣ ସାହୁ ସମ୍ବଲପୁର ଗସ୍ତରେ ଆସି ହୀରାକୁଦ ଜଳଭଣ୍ଡାର କେଜ କଲଚର ସାଇଟ ଓ ଚିପିଲିମା ଠାରେ ତିଆରି ହେଉଥିବା ନୂତନ ମତ୍ସ୍ୟ ଯାଆଁଳା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଆଗାମୀ ଦିନରେ ଓଡିଶାରେ କିପରି ଭାବେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଥିବା କହିଛନ୍ତି । ଏପରିକି ଆଗାମୀ ଦିନରେ ଚିପିଲିମା ମତ୍ସ୍ୟ ଯାଆଁଳା କେନ୍ଦ୍ରରେ ବର୍ଷିକ 50 କୋଟି ମତ୍ସ୍ୟ ଯାଆଁଳା ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ମତ୍ସ୍ୟ ଉତ୍ପାଦନରେ ଓଡିଶା ହେବ ଆତ୍ମ ନିର୍ଭରଶୀଳ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରହିଛି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଉପରେ। ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ମଧ୍ୟ ନେଇଛନ୍ତି । ବର୍ତ୍ତମାନ କେଜ କଲଚର ମାଛ ଚାଷ ଦ୍ୱାରା ବିଭିନ୍ନ ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଏହି କେଜ କଲଚର ମାଛ ଚାଷ ଆରମ୍ଭ କରାଯାଇଛି ।