ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ! ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ l କେତେବେଳେ ଅଧ୍ୟାପକଙ୍କ ଦ୍ବାରା ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ତ କେତେବେଳେ ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ । ବର୍ତ୍ତମାନ ଜଣେ ଆସିଷ୍ଟାଣ୍ଟ ମହିଳା ପ୍ରଫେସରଙ୍କୁ ପୁରଷ ଆସିଷ୍ଟାଣ୍ଡ ପ୍ରଫେସର ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ପୁରା ସମ୍ବଲପୁର ସମେତ ଶିକ୍ଷା ଜଗତରେ ଆଲୋଡନା ସୃଷ୍ଟି ହୋଇଛି ।
ଏହାବି ପଢନ୍ତୁ- ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣା, ଥାନାରେ ଏତଲା
ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ l ସେହି ସମାନ ବିଭାଗର ଜଣେ ପୁରୁଷ ଆସିଷ୍ଟାଣ୍ଡ ପ୍ରଫେସର ଦୀର୍ଘ ୭ ବର୍ଷ ହେଲା ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିବା ଲିଖିତ ଅଭିଯୋଗ ହୋଇଛି l ଏନେଇ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର ଓ ପିଜି କାଉନସିଲ ଚେୟାରମ୍ୟାନଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ପୁରୁଷ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଏହିଭଳି ଘଟଣା ପ୍ରଘଟ ହେବା ପରେ ବିବାଦର ପରିସରକୁ ଆସିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ l ପୀଡିତା ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଲିଖିତ ଅଭିଯୋଗ ନେଇ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଆଜି ସୂଚନା ଦେଇଛନ୍ତି l ରେଜିଷ୍ଟ୍ରାର କହିଛନ୍ତି ଅଭିଯୋଗ ପାଇବା ପରେ କୁଳପତିଙ୍କ ନିର୍ଦ୍ଦେଶକ୍ରମେ ଇଣ୍ଟରନାଲ କମ୍ପ୍ଲେନ କମିଟିକୁ ଏହି ମାମଲା ହସ୍ତାନ୍ତର କରାଯାଇଛି l ଆସନ୍ତା 28 ତାରିଖରେ କମିଟିର ଚେୟାରମ୍ୟାନ ପ୍ରଫେସର ବିନତା ନାୟକଙ୍କ ନେତୃତ୍ବରେ ଏକ ଗୁରୁତ୍ବପୂର୍ଣ ବୈଠକ ହେବ । ସେହି କମିଟିରେ ଯାହା ନିଷ୍ପତ୍ତି ନିଆଯିବ ତାରି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ।
ଏହାବି ପଢନ୍ତୁ- ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି
ସୂଚନାଯୋଗ୍ୟଯେ ସମ୍ପୃକ୍ତ ଆସିଷ୍ଟାଣ୍ଡ ପ୍ରଫେସରଙ୍କ ନାଁରେ ଆଗରୁ ଅନେକ ଅଭିଯୋଗ ଥିବା ଜଣାପଡିଛି l ତେବେ ଏନେଇ ଥାନାରେ ଅଭିଯୋଗ ହେବ ନା ନାହିଁ ତାହା କମିଟି ନିଷ୍ପତି ନେବ ବୋଲି ସୂଚନା ଦିଆଯାଇଛି l ତେବେ ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଫେସର ସୋମବାର ସୁଦ୍ଧା ନିଳମ୍ବିତ ହୋଇପାରନ୍ତି l
ଇଟିଭି ଭାରତ, ସମ୍ବଲପୁର