ଓଡିଶା

odisha

ETV Bharat / state

ସମ୍ବଲପୁରରେ ଡାକ୍ତର ମରୁଡି, ହନ୍ତସନ୍ତ ରୋଗୀ

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ଡାକ୍ତର ପଦବୀ ଖାଲି ପଡିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସର୍ବମୋଟ 100 ରୁ ଊର୍ଦ୍ଧ୍ବ ପଦବୀ ଖାଲି ଥିବାବେଳେ ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Jul 14, 2019, 3:29 PM IST

ସମ୍ବଲପୁର: ଦୀର୍ଘ ଦିନ ଧରି ସମ୍ବଲପୁର ଜିଲ୍ଲାରେ ଡାକ୍ତର ପଦବୀ ଖାଲି ପଡିଛି । ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ରହିଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , 2 ଟି ଉପଖଣ୍ଡୀୟ ଚିକିତ୍ସାଳୟ ଓ 9ରୁ ଊର୍ଦ୍ଧ୍ବ ପିଏଚସି ଓ ସିଏଚସି ପରି ଡାକ୍ତରଖାନା । ଗୋଟିଏ ପଟେ ଏହି ଡାକ୍ତରଖାନା ଉପରେ ଜିଲ୍ଲା ବାହାରର ଲୋକ ମଧ୍ୟ ନିର୍ଭରଶୀଳ ରହୁଥିବାରୁ ଏବେବି ଡାକ୍ତର ମରୁଡି ଏକ ବଡ଼ ସମସ୍ୟା ହୋଇ ରହିଛି ।


ଖବର ଅନୁଯାୟୀ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରେଢ଼ାଖୋଲ ଓ କୁଚିଣ୍ଡା ପରି ଉପଖଣ୍ଡୀୟ ଚିକିତ୍ସାଳୟ ସହ ସବୁ ବ୍ଲକରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ତେବେ ଗ୍ରାମାଞ୍ଚଳରୁ ସହର ସବୁଠି ଡାକ୍ତର ପଦବୀ ଖାଲି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଅତିରିକ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପଦବୀ 13ଟି ରହିଥିବାବେଳେ ଅଛନ୍ତି 5 ଜଣ, ଜୁନିୟର ଡାକ୍ତର ପଦବୀ 22 ଥିବାବେଳେ ଅଛନ୍ତି 17 ଜଣ, ବରିଷ୍ଠ ଡାକ୍ତର କ୍ଲାସ-1 ପଦବୀ 76 ଥିବାବେଳେ ଅଛନ୍ତି 49, କନିଷ୍ଠ ଡାକ୍ତର ପଦବୀ 93 ଥିବାବେଳେ ଅଛନ୍ତି ମାତ୍ର 57 ଜଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଭଳି ଭାବେ ବର୍ତ୍ତମାନ ଜିଲ୍ଲାରେ ସର୍ଵମୋଟ 100ରୁ ଊର୍ଦ୍ଧ୍ବ ପଦବୀ ଖାଲି ଥିବାର ସୂଚନା ମିଳିଛି । ଏପଟେ ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର ଅବସ୍ଥା ଆହୁରି ଖରାପ । କେତେକ ସ୍ଥାନରେ ଡାକ୍ତର ନଥିବାବେଳେ ଆଉ କେତେକ ସ୍ଥାନରେ ଡାକ୍ତର ଥିଲେ ମଧ୍ୟ ସବୁ ସମୟରେ ରହୁନାହାଁନ୍ତି ବୋଲି ଅଭିଯୋଗ ହେଉଛି ।

ଏପଟେ ଝାରସୁଗୁଡା ବିଧାୟକ ନବ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ ଲୋକଙ୍କ ମନ ଭିତରେ ଆଶା ଜାଗ୍ରତ ହୋଇଛି । ନିକଟ ଅତୀତରେ ସ୍ବାସ୍ଥ୍ୟ ମନ୍ତ୍ରୀ ସମ୍ବଲପୁର ଆସିଥିବାବେଳେ ତାଙ୍କୁ ଏହି ସମସ୍ୟା ନେଇ ପଚାରିବାରୁ ସେ 2 ବର୍ଷ ଭିତରେ ସବୁ ପଦବୀ ପୂରଣ ହେବ ବୋଲି ଆଶ୍ବାସନା ଦେଇଛନ୍ତି ।

ଆଗାମୀ ଦିନରେ ସ୍ବାସ୍ଥ୍ୟ ବିଭାଗରେ ଏପରି ଵ୍ୟଵସ୍ଥା କରାଯିବ, ଯେପରି କୌଣସି ସରକାରୀ ମେଡିକାଲ କଲେଜରେ ପଡୁଥିବା ଡାକ୍ତରୀ ଛାତ୍ର ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ଫଳରେ 2 ବର୍ଷ ଭିତରେ ରାଜ୍ୟରେ ଡାକ୍ତର ବଳକା ପଡିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details