ସମ୍ବଲପୁର: ଜିଲ୍ଲା ସହ ଝାରସୁଗୁଡା ସୀମାରେ ଥିବା ତଲାବିରା 2 ଓ 3 କୋଇଲା ଖଣିରେ ନେଭେଲି ଲିଗନାଇଟ କର୍ପୋରେସନ ବା NLC କମ୍ପାନୀ କୋଇଲା ଖନନ ଆରମ୍ଭ କରିବା କରିବା ଦିନଠୁ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ଥଇଥାନ ଓ ନିଯୁକ୍ତି ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । 34 ବର୍ଷ ପାଇଁ କୋଇଲା ଖନନ କରିବାର ଅନୁମତି ପାଇଥିବା କମ୍ପାନୀ ନିଜର ପ୍ରତିଶୃତି ମୁତାବକ ସ୍ଥାନୀୟ ନିଯୁକ୍ତି ଦେଉନଥିବାବେଳେ କିନ୍ତୁ ଜିଲ୍ଲା ପ୍ରଶାସନ କମ୍ପାନୀକୁ ପ୍ରୋତ୍ସାହନ ଦେଇ ଆସୁଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ସ୍ଥାନୀୟ ପ୍ରଭାବିତ ଲୋକଙ୍କୁ କମ୍ପାନୀ ନିଯୁକ୍ତି ଦେଉନଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ପକ୍ଷରୁ ଅଗଷ୍ଟ 10ରୁ କମ୍ପାନୀ ବିରୁଦ୍ଧରେ ଧାରଣା ଓ ଆନ୍ଦୋଳନ ଆରମ୍ଭ ହୋଇଛି ।
ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର 8ଟି ଗାଁର 1914.063 ହେକ୍ଟର ଜମିରେ 554 ମିଲିୟନ ଟନ କୋଇଲା ଉତ୍ତୋଳନ ପାଇଁ କମ୍ପାନୀକୁ ଅନୁମତି ମିଳିଛି । ଏଠାରେ ଦୈନିକ 29ମିଲିୟନ ଟନ କୋଇଲା ଉତ୍ତୋଳନ ହେବାକୁ ଥିବାବେଳେ ଝାରସୁଗୁଡାର 3200 ମେଗାୱାଟ ଥର୍ମାଲ ପାୱାର ଓ ତାମିଲନାଡୁର ଟୁଟିକୋରିନର 1000 ମେଗାୱାଟ ଥର୍ମାଲ ପାୱାର ପ୍ରୋଜେକ୍ଟ ପାଇଁ ଏଠାରେ କୋଇଲା ଉତ୍ତୋଳନ କରାଯିବ । ତେବେ ସବୁଠାରୁ ବଡ଼ କଥା ହେଲା ଏଠାରେ ଏତେବଡ଼ ପ୍ରକଳ୍ପ ହେବା ପରେ ମଧ୍ୟ ସ୍ଥାନୀୟ ଲୋକ ନିଯୁକ୍ତି ନେଇ ଚିନ୍ତାରେ ପଡିଛନ୍ତି । କାରଣ ଏହି ପ୍ରକଳ୍ପ ଦ୍ବାରା ସମ୍ବଲପୁର ଜିଲ୍ଲାର ମୋଟ 17700 ଗଛ କଟିଥିବାବେଳେ କମ୍ପାନୀକୁ 2300 ହେକ୍ଟର ଜମିରେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ରହିଛି । ତେବେ ବର୍ତ୍ତମାନ ଏହି ଜଙ୍ଗଲ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିଛି ।
ପୂର୍ବରୁ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରାଥମିକତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ଏଥିରୁ କମ୍ପାନୀ ବିଚ୍ୟୁତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ବିଗତ 1 ମାସ ହେଲା ସ୍ଥାନୀୟ ଲୋକେ ଆନ୍ଦୋଳନରେ ବସିଛନ୍ତି । ଏହାସହ କମ୍ପାନୀ ଲୋକଙ୍କ ଜମିର ସଠିକ ମୂଲ୍ୟାୟନ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି।