ସମ୍ବଲପୁର:ପରକୀୟା ପ୍ରୀତିରୁ ଫୁଟିଲା ଗୁଳି । ସ୍ତ୍ରୀର ପ୍ରେମିକକୁ ଗୁଳି ମାରି ଫେରାର୍ ହୋଇଗଲା ପୂର୍ବତନ ସ୍ବାମୀ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ବଡନୂଆପଡା ଖେତିନାଳୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁଳିମାଡରେ ଆହତ ହୋଇଥିବା ପ୍ରେମିକଙ୍କ ନାମ ପଙ୍କଜ ଦେହୁରୀ । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମସାରରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୂର୍ବତନ ସ୍ବାମୀକୁ ପୋଲିସ ଖୋଜାଖୋଜି କରୁଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଝାଙ୍କରପଡା ଗାଁର ସ୍ବାଧୀନ ପ୍ରଧାନ । ବିବାହର ୧୦ ବର୍ଷ ପରେ ଗତବର୍ଷ ସେ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ । ଅନ୍ୟ ପୁରୁଷ ସହ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରୁଥିଲେ । ଛାଡପତ୍ର ପରେ ତାଙ୍କର ସ୍ତ୍ରୀ ଖେତିନାଳୀ ଗାଁର ଯୁବକ ପଙ୍କଜ ଦେହୁରୀଙ୍କ ସାଙ୍ଗରେ ରହି ଆସୁଥିଲେ । ଏହାକୁ ନେଇ ପଙ୍କଜଙ୍କ ଉପରେ ସ୍ବାଧୀନଙ୍କ ପ୍ରବଳ ରାଗ ଥିଲା । ସ୍ତ୍ରୀକୁ ଛାଡପତ୍ର ଦେବା ସତ୍ତ୍ବେ ପ୍ରେମିକ ଠାରୁ ପ୍ରତିଶୋଧ ନେବାକୁ ସେ ସୁଯୋଗ ଖୋଜୁଥିଲେ । ଗତକାଲି ବିଳମ୍ବିତ ରାତିରେ ସ୍ବାଧୀନ ଖେତିନାଳୀ ଗାଁକୁ ଯାଇ ଫଙ୍କଜ ଦେହୁରୀଙ୍କୁ ଗୁଳି କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଏହାମଧ୍ୟ ପଢନ୍ତୁ: ନନ୍ଦନ ବିହାରରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ