ସମ୍ବଲପୁର: ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଭଗବାନ ଭୋଳାନାଥ ଶିବ ଶଙ୍କରଙ୍କ ଜନ୍ମତିଥି । ହିନ୍ଦୁ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ଆଜିର ଦିନରେ ଦେବ ଦେବ ମହାଦେବଙ୍କ ଦର୍ଶନ କଲେ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇ ଶିବ ପ୍ରାପ୍ତ ହୋଇଥାଏ । ତେଣୁ ଏହି ବିଶ୍ୱାସ ଆଜି ଶିବରାତ୍ରୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଶୈବପୀଠ ଆଡକୁ ଆକର୍ଷିତ କରିଛି । ଶନିବାର ସକାଳୁ ସକାଳୁ ସମ୍ବଲପୁରର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ସମ୍ବଲପୁରର ସର୍ବ ପୁରାତନ ତଥା ଐତିହାସିକ ଶୈବପୀଠ କୁହାଯାଉଥିବା ବାଲିବନ୍ଧାସ୍ଥିତ ସୋମନାଥ ବାବାଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା ।
ସମ୍ବଲପୁର ସହରର ଏହି ଶୈବପୀଠରେ ଉଭା ଲିଙ୍ଗ ଥିବାରୁ ଏହି ପୀଠର ସ୍ୱତନ୍ତ୍ର ବିଶେଷତ୍ୱ ରହିଛି । ତେଣୁ ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ତେଣୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମନାଥ ବାବାଙ୍କ ପୀଠରେ ଆଜି ଭୋର ୪ଟାରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଥାଳିରେ ବେଲପତ୍ର, ବିଭିନ୍ନ ପ୍ରକାରର ଫୁଲ ଓ ଦୁଗ୍ଧ ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ ଧରି ଲମ୍ବା ଧାଡିରେ ବିଭିନ୍ନ ବର୍ଗର ଲୋକଙ୍କୁ ଛିଡା ହୋଇଥିବା ଦେଖୁବାକୁ ମିଳିଥିଲା । ବାବା ସୋମନାଥଙ୍କ ମହିମା ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ।
ଏଠାରେ ମାନସିକ କଲେ ତାହା ନିଶ୍ଚିତ ଭାବେ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ତେଣୁ ଆଜି କେବଳ ସମ୍ବଲପୁର ନୁହେଁ, ସମ୍ବଲପୁର ଆଖପାଖ ଜିଲ୍ଲା ତଥା ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡରୁ ଶ୍ରଦ୍ଧାଳୁମାନେ ମଧ୍ୟ ବାବାଙ୍କ ଦର୍ଶନ ପାଇଁ ଆସିଥିବା ଦେଖୁବାକୁ ମିଳିଥିଲା । ଧୂପ ଦୀପ ଜାଳି ବାବାଙ୍କ ଲିଙ୍ଗରେ ଜଳାଭିଷେକ କରିଥିଲେ ଭକ୍ତ । ଅତ୍ୟଧିକ ଗହଳି ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଧାଡି ବ୍ୟବସ୍ଥା କରାଯାଇଥିଲା । ଆଜି ରାତ୍ରି ସମୟରେ ଯେଉଁ ଭକ୍ତମାନେ ଉପବାସ କରି ଉଜାଗର ରହିବେ ସମସ୍ତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତ୍ରିର ଚତୁର୍ଥ ପ୍ରହରରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।