ସମ୍ବଲପୁର: ସମ୍ବଲପୁର ଗସ୍ତରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ l ଆଜି ଏହି ଟିମ ସକାଳୁ ହୀରାକୁଦ ଡ୍ୟାମକୁ ଯାଇ ପରିଦର୍ଶନ କରିବା ସହ ଅଣ ମୌସୁମୀ ଋତୁରେ ରୁଲ କର୍ଭ ଅନୁସାରେ ଜଳ ସ୍ତର କେତେ ରହିବା କଥା, ଉପର ମୁଣ୍ଡରୁ କେତେ ପରିମାଣ ର ଜଳ ଆସିବା କଥା, କେତେ ଜଳ ଆସୁଛି ସେନେଇ ଅନୁଧ୍ୟାନ କରିଥିବା ଜଣାପଡିଛି l ଟ୍ରିବୁନାଳର ଏହି ଟିମ ସହ ହୀରାକୁଦ ଡ୍ୟାମର ପ୍ରମୁଖ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏହି ଟିମ ହୀରାକୁଦ ଜଳ ଭଣ୍ଡାରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ତଳ ମୁଣ୍ଡରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବେ l
ହୀରାକୁଦ ଜଲଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରି ଅଣ ମୌସୁମୀ ଋତୁରେ ଓଡିଶା ପାଇଁ ମହାନଦୀରେ ପାଣି ଛାଡୁ ନଥିବା ର ଅଭିଯୋଗ ହେବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା l ଏହି ପ୍ରସଙ୍ଗ ରେ ଓଡିଶା ସରକାର 2016 ମସିହା ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟରେ Inter State River Water Dispute Act ଅନୁସାରେ Under Sec-3 ରେ ଏକ ଅଭିଯୋଗ ଦାଖଲ କରିବା ପରେ 12 ମାର୍ଚ୍ଚ 2018 ମସିହାରେ Mahanadi Water Dispute Tribunal ଗଠନ ହୋଇଥିଲା l ଆଜି ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଅବଧି 2 ଥର ବୃଦ୍ଧି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଶୁଣାଣି ହୋଇନାହିଁ l ଗତ ମାର୍ଚ୍ଚ ମାସରେ ଟ୍ରିବ୍ୟୁନାଲର ଦ୍ଵିତୀୟ ଅବଧି ବୃଦ୍ଧି ହୋଇଥିଲା l
ଟ୍ରିବ୍ୟୁନାଲଗଠନର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଶୁଣାଣି ହୋଇନଥିବାରୁ ଏହି ପ୍ରସଙ୍ଗ କୁ ନେଇ ରାଜ୍ୟରେ ଘନେଇଛି ରାଜନୀତି l ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଗତକାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଟାର୍ଗେଟ କରିଛି l ଟ୍ରିବୁନାଲ ବାହାନାରେ ରାଜ୍ୟ ସରକାର ନିଜର ଦୋଷ ଝାଡୁଥିବା କଂଗ୍ରେସ ଅଭିଯୋଗ ଆଣିଛି l