ସମ୍ବଲପୁର :ରୋଗମୁକ୍ତ କୁଷ୍ଠ ରୋଗୀଙ୍କ ପାଇଁ ବଢିଛି ଅଡ଼ୁଆ । ମୌଳିକ ସୁବିଧା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା । ସମ୍ବଲପୁର ଯୁଜୁମୁରା ବ୍ଲକ ହାତୀବାରିସ୍ଥିତ କୁଷ୍ଠାଶ୍ରମ ନିକଟରେ ଥିବା ସନ୍ତ୍ରାପଲ୍ଲୀ ଓ ନୂଆଁପଡାର ରୋଗମୁକ୍ତ କୁଷ୍ଠ ରୋଗୀ ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଏହି ରୋଗୀମାନେ ଔଷଧ ସେବନ କରି ରୋଗମୁକ୍ତ ହୋଇଛନ୍ତି । ତଥାପି ସମାଜ ଏମାନଙ୍କୁ ଗ୍ରହଣ କରୁନାହିଁ । ସେଥିପାଇଁ ଏମାନେ ସମ୍ବଲପୁର ଯୁଜୁମୁରା ହାତୀବାରି ଠାରେ ଏକ ବସ୍ତି କରି ରହୁଛନ୍ତି ।
ତେବେ ବଞ୍ଚିବା ପାଇଁ ଏମାନେ ମୁଖ୍ୟତଃ ଭିକ୍ଷାବୃତ୍ତି କରି ବଞ୍ଚୁଥିଲେ । କିନ୍ତୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିକ୍ଷାବୃତ୍ତିକୁ ବାରଣ କରାଯାଇଥିବା ବେଳେ ଏମାନଙ୍କ ଅଡ଼ୁଆ ବଢିଯାଇଛି । ଯାହା ଏମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି । କୌଣସି କାମ ନମିଳିବାରୁ ଏମାନେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ ପଡିଛନ୍ତି ।
ଏଥିପାଇଁ ଆଜି ଏହି ରୋଗୀ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କେତେକ ଦାବି ରଖିଛନ୍ତି । ସେମାନେ ରହୁଥିବା ବସ୍ତି ଅଞ୍ଚଳରେ 2 ଡ଼ିସିମିଲ ଘରଡ଼ିହ ଜମିପଟ୍ଟା ପ୍ରଦାନ, ମାସିକ 3000 ଟଙ୍କାର ଆର୍ଥିକ ସହାୟତା, ଅନ୍ତୋଦୟ ଯୋଜନାରେ ମାସିକ 35 କେଜି ଚାଉଳ ପ୍ରଦାନ ଓ ଔଷଧ ଖର୍ଚ୍ଚ ବାବଦରେ ବାର୍ଷିକ 5000 ରୁ 6000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପ୍ରମୁଖ ଦାବି ରହିଛି । ଯଥାଶୀଘ୍ର ଏହି ସବୁ ଦାବି ପ୍ରଦାନ କରିବାକୁ ଏହି ରୋଗୀମାନେ ଦାବି କରିଛନ୍ତି ।