ସମ୍ବଲପୁର:ଅସହାୟ ମୁସଲମାନ ମହିଳାଙ୍କ ଅନ୍ତିମ ସଂସ୍କାର କଲା ସମ୍ବଳ ଅନୁଷ୍ଠାନ । ଜଣେ ଅସହାୟ ମୁସଲମାନ ମହିଳାଙ୍କ ମୃତଦେହକୁ ଆଜି(ଶନିବାର) ସମ୍ବଲପୁର ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି । ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ ପକ୍ଷରୁ ଏହି ଅସହାୟ ମୁସଲମାନ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ବିରଳ ଘଟଣା: ହିନ୍ଦୁ ପରମ୍ପରାରେ ସରିଲା ମୁସଲିମ ମହିଳାଙ୍କ ଅନ୍ତିମ ସଂସ୍କାର ମହିଳା ଜଣକ ମୂଳତଃ ସମ୍ବଲପୁର ବାମରା ଅଞ୍ଚଳର ହୋଇଥିବାବେଳେ ସେ ଅତାବିରାର ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସେ ଗତ କିଛି ଦିନ ଧରି ଗୁରୁତର ଅବସ୍ଥାରେ ଭିମସାର ମେଡ଼ିକାଲର କ୍ୟାନ୍ସର ୱାର୍ଡରେ ଚିକିତ୍ସିତ ହୋଇ ଆସୁଥିଲେ । ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୄତ୍ୟୁ ହେବା ପରେ ତାଙ୍କର ସ୍ବାମୀ ତଥା ତାଙ୍କର ବାପା ଘର ଲୋକେ କୌଣସି ପ୍ରକାର ଦାୟିତ୍ବ ନ ନେବାରୁ ରାଜସ୍ଥାନରେ ରହୁଥିବା ମୄତ ମହିଳାଙ୍କ ଝିଅଙ୍କୁ ବୁର୍ଲା ପୋଲିସ ଡକାଇଥିଲା ।
ତାଙ୍କ ଝିଅ ଆସିଲା ପରେ ତାଙ୍କ ମା'ଙ୍କ ଇଚ୍ଛା ମୁତାବକ ମା'ଙ୍କ ମୃତଦେହକୁ ସମ୍ବଲପୁର କବରସ୍ତାନରେ ମୁସଲମାନ ପରମ୍ପରା ଅନୁସାରେ କବର ଦେବାକୁ କବରସ୍ତାନକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର କବର ଦେବାକୁ ନୀତିନିୟମ ନାହିଁ ବୋଲି କହି କିଛି ଲୋକ କବର ଦେବାକୁ ମନା କରିଦେବା ପରେ ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଳର ସଦସ୍ୟ ମାନେ ମୄତ ମହିଳାଙ୍କ ମୃତଦେହକୁ ସମ୍ବଲପୁର ସ୍ବର୍ଗଦ୍ବାରକୁ ଆଣି ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ। ରାଜସ୍ଥାନରୁ ଆସିଥିବା ମୄତ ମହିଳାଙ୍କ ଝିଅ ମୁଖାଗ୍ନି ଦେଇଥିଲେ ।
ତେବେ ସମ୍ବଳ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ସେମାନେ ଗୋଟିଏ ଅସହାୟ ମହିଳାଙ୍କ ମୃତଦେହର ସତ୍କାର କରି ମୃତଦେହକୁ ସମ୍ମାନ ଦେଇଛନ୍ତି । କେଉଁ ଜାତି କି ଧର୍ମ ସେନେଇ କୌଣସି ବାଛ ବିଚାର ନାହିଁ । ମୄତ ମହିଳାଙ୍କ ଝିଅ ଲିଖିତ ଭାବେ ଅନ୍ତିମ ସତ୍କାର କରିବାକୁ ଅନୁମତି ଦେବା ପରେ ଏହି ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ