ଓଡିଶା

odisha

ETV Bharat / state

ସମ୍ବଲପୁରର ଗାରିମା ବଢାଉଛି ତ୍ରିରଙ୍ଗା - ସମ୍ବଲପୁର ରେଳଷ୍ଟେସନରେ ବିଶାଳ ତ୍ରିରଙ୍ଗା

ହର୍‌ ଘର୍ ତ୍ରିରଙ୍ଗା ଅଭିଯାନରେ ଦୁଇ ଦିନ ପରେ ଦେଶର କୋଣ ଅନୁକୋଣରେ ଉଡିବ ତ୍ରିରଙ୍ଗା । ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ଏହାର ବହୁ ପୂର୍ବରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ସମେତ କେତେକ ସ୍ଥାନରେ ସହରର ଗାରିମା ବଢାଉଛି ବିଶାଳ ଜାତୀୟ ପତାକା । ଯାହାକି ଜାତୀୟ ପତାକା ପ୍ରତି ସମ୍ବଲପୁରବାସୀଙ୍କ ସମ୍ମାନ ପ୍ରମାଣିତ କରିଛି । ଅଧିକ ପଢନ୍ତୁ

ସମ୍ବଲପୁରର ଗାରିମା ବଢାଉଛି ତ୍ରିରଙ୍ଗା
ସମ୍ବଲପୁରର ଗାରିମା ବଢାଉଛି ତ୍ରିରଙ୍ଗା

By

Published : Aug 11, 2022, 6:55 PM IST

ସମ୍ବଲପୁର:ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶ 'ଆଜାଦୀ କି ଅମୃତ ମହୋତ୍ସବ' ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଦେଶରେ ଏବେ "ହର ଘର ତ୍ରିରଙ୍ଗା " ଅଭିଯାନ ଆରମ୍ଭ କରିଛନ୍ତି । ଆସନ୍ତା ୧୩ ତାରିଖରୁ ୧୫ ତାରିଖ ଯାଏଁ ଭାରତର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଉଡିବ ତ୍ରିରଙ୍ଗା ପତାକା । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ତ୍ରିରଙ୍ଗା ଅଭିଯାନର ବହୁ ଆଗରୁ ଜାତୀୟ ପତାକା ପ୍ରତି ନିଜର ସମ୍ମାନ ପ୍ରମାଣିତ କରିସାରିଛନ୍ତି ସମ୍ବଲପୁରବାସୀ । ହର୍‌ ଘର ତ୍ରିରଙ୍ଗା ନାରାର ଗୋଟିଏ ବର୍ଷ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଶୋଭା ପାଉଛି ତ୍ରିରଙ୍ଗା ପତାକା । ସମ୍ବଲପୁର ମହାନଗରର କେତେକ ସ୍ଥାନରେ ତ୍ରିରଙ୍ଗା ରାତି ଦିନ ୨୪ ଘଣ୍ଟା ଧରି ଉଡୁଛି । ସେହିଭଳି ଏକ ସ୍ଥାନ ହେଉଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ବିଶ୍ବବିଦ୍ୟାଳୟର ପ୍ରଶାସନିକ ବିଭାଗର ଠିକ ସାମ୍ନାରେ 100 ଫୁଟ ଉଚ୍ଚରେ ଏକ ବିଶାଳ ତ୍ରିରଙ୍ଗା ଦିନ ରାତି ଫରଫର୍ ହୋଇ ଉଡୁଛି । ଯାହାକି ସମସ୍ତଙ୍କ ମନରେ ଜାତୀୟତା ଭାବନା ଉଦ୍ରେକ କରୁଛି ।

ସମ୍ବଲପୁରର ଗାରିମା ବଢାଉଛି ତ୍ରିରଙ୍ଗା

ଛାତ୍ରଛାତ୍ରୀ ଦେଶରର ଭବିଷ୍ୟତ ହୋଇଥିବା ବେଳେ ସେମାନଙ୍କ ମନ ଭିତରେ ଜାତୀୟତାବାଦର ଭାବନା ସବୁବେଳେ ପ୍ରଜ୍ଵଳିତ କରିବାକୁ ଏହି ତ୍ରିରଙ୍ଗାକୁ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଲଗାଯାଇଛି । ତେବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ତ୍ରିରଙ୍ଗା ଲଗାଇବା ପାଇଁ ୨୦୧୬-୧୭ ମସିହାରୁ ଛାତ୍ର ସଙ୍ଗଠନ ଦାବି କରିଆସୁଥିଲେ । ଶେଷରେ ଗତ ଜାନୁୟାରୀ ୨୬ ତାରିଖରେ ବିଶ୍ବବିଦ୍ୟାଳୟରେ ଉଡିଥିଲା ଏକ ବିଶାଳ ତ୍ରିରଙ୍ଗା । ଏହି ତ୍ରିରଙ୍ଗା ପତାକା ଦୈର୍ଘ୍ୟ ୨୦ ଫୁଟ ଏବଂ ପ୍ରସ୍ଥ ୧୨ ଫୁଟ ଅଟେ । ଜାତୀୟ ପତାକାଟି ଏଠାରେ ୧୦୦ ଫୁଟର ଏକ ପୋଲ ଉପରେ ଉଡୁଛି ।

ଅନ୍ୟପଟେ ସମ୍ବଲପୁରର କ୍ଷେତରାଜପୁର ରେଳଷ୍ଟେସନ ସମ୍ମୁଖରେ ମଧ୍ୟ ବର୍ଷେ ହେଲାଣି 100 ଫୁଟ ଉଚ୍ଚର ଏକ ବିଶାଳ ତ୍ରିରଙ୍ଗା ଫରଫର ହୋଇ ଉଡୁଛି । ସମ୍ବଲପୁର ରେଳ ଷ୍ଟେସନଟି ପଶ୍ଚିମ ଓଡିଶାର ଏକ ପ୍ରମୁଖ ଷ୍ଟେସନ ହେବା ସହ ଏକ ଜଙ୍କସନ ମଧ୍ୟ । ଏହି ଷ୍ଟେସନରେ ଦେଶର ସବୁ ରାଜ୍ୟର ଲୋକ ଯିବାଆସିବା କରନ୍ତି । ଏହାକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ଏଠାରେ ତ୍ରିରଙ୍ଗା ପତାକା ଲଗାଯାଇଛି । ରେଳଯାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟତା ଭାବନା ଉଦ୍ରେଗ କରିବା ଲକ୍ଷ୍ୟରେ ରେଳ ବିଭାଗ ଜାତୀୟ ପତାକା ଲଗାଇଛି । ଯାହା ଏବେ ସମ୍ବଲପୁର ସହରର ଅନ୍ୟତମ ପରିଚୟ ପାଲଟିଛି ।

ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବର୍ତ୍ତମାନ ସମ୍ବଲପୁରରେ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆଜିଠୁ 13 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ନେଇ ପ୍ରଭାତ ଫେରି କରାଯିବ । 12 ତାରିଖରେ ଏକ ବାଇକ ରାଲି କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ହର୍ ଘର୍ ତ୍ରିରଙ୍ଗା ପାଇଁ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସମ୍ବଲପୁରରେ ବହୁ ପୂର୍ବରୁ ସମ୍ବଲପୁରବାସୀ ତ୍ରିରଙ୍ଗା ପ୍ରତି ଥିବା ସେମାନଙ୍କ ସମ୍ମାନ ପ୍ରଦର୍ଶନ କରିସାରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details