ସମ୍ବଲପୁର: ଜିଲ୍ଲାର ମାନେଶ୍ବର ବ୍ଲକ ବତେମୁରା ଗ୍ରାମ ପଞ୍ଚାୟତର ସୁରଡ଼ା ଗାଁରେ କିଡନୀ ରୋଗ ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏହି ଗାଁରେ 9 ଜଣ ଲୋକ କିଡନୀ ଜନିତ ରୋଗ କାରଣରୁ ନିଜ ପ୍ରାଣ ହରାଇଲେଣି। ମାତ୍ର ଗ୍ରାମବାସୀ ଅଭିଯୋଗ କରିଛନ୍ତି ଆଉ ଏବେ 7ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ କାଟୁଛନ୍ତି । ତେବେ ଗାଁ ଲୋକଙ୍କୁ କାହିଁକି କିଡନୀ ରୋଗ ହେଉଛି ତାର କାରଣ ଖୋଜିପାରୁନି ପ୍ରଶାସନ ।
ଏହି ଗ୍ରାମରେ 100ରୁ ଅଧିକ ପରିବାର ବସବାସ କରନ୍ତି । ଅଧିକାଂଶ ପରିବାରର ଲୋକେ ଦିନ ମଜୁରିଆ ଶ୍ରେଣୀର। ଆଉ ଏବେ ଗାଁରେ ଆତଙ୍କ ଖେଳାଇଛି କିଡନୀ ରୋଗ । ବର୍ତ୍ତମାନ ସୁଦ୍ଧା 9 ଜଣ ଏହି ରୋଗରେ ପ୍ରାଣ ମଧ୍ୟ ହରାଇଲେଣି । ଉକ୍ତ ଗାଁର ସାରଥୀ ଲୁହା ନିଜେ କିଡନୀ ରୋଗରେ ପୀଡିତ ଥିବା ବେଳେ ସେ ପୂର୍ବରୁ ତାଙ୍କର 2 ଭାଇ ଦାଶରଥି ଲୁହା ଓ ଭାଗିରଥି ଲୁହାଙ୍କୁ କିଡନୀ ରୋଗରେ ହରାଇଛନ୍ତି । ସେପଟେ ତାଙ୍କ ପତ୍ନୀ ମଧ୍ୟ କିଡନୀ ରୋଗରେ ପୀଡିତ ଥିବା ସେ କହିଛନ୍ତି।
ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଅଧିକାଂଶ ଲୋକେ ଭଲରେ ନିଜର ଚିକିତ୍ସା କରାଇବାକୁ ଅକ୍ଷମ ହେଉଛନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ ଏଠିକାର ପାନୀୟଜଳ ଯୋଗୁ ଏଭଲି ରୋଗ ହେଉଥିବା ଆଶଙ୍କା କରୁଛନ୍ତି। ହେଲେ ତାହା ସ୍ପଷ୍ଟ ହୋଇପାରିନି। ଏନେଇ ସ୍ଥାନୀୟ ବିଡ଼ିଓଙ୍କୁ ଜଣାଇବା ପରେ ଏକ ମେଡିକାଲ ଟିମ ବିଭିନ୍ନ ନଳକୂପର ନମୁନା ସଂଗ୍ରହ କରି ନେଇଥିବାର ଗାଁ ଲୋକେ କହିଛନ୍ତି।