ଓଡିଶା

odisha

ETV Bharat / state

ଡୁଙ୍ଗରିପଡ଼ାକୁ ଘାରିଛି କିଡନୀ ରୋଗ ଭୟ: ଅକାଳରେ ଝଡୁଛି ଜୀବନ, ପ୍ରଶାସନ ପାଖେ ନାହିଁ ଖବର

କିଡନୀ ରୋଗ ଆତଙ୍କରେ ସମ୍ବଲପୁର ଜିଲ୍ଲା ଡୁଙ୍ଗରିପଡ଼ା । ଗତ କିଛି ମାସ ଭିତରେ ଗଲାଣି ୪ ଜୀବନ। ତେବେ ଏବେ ବି ୮ଜଣ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି । ହେଲେ ଶୋଇଛି ପ୍ରଶାସନ । ଅଧିକ ପଢ଼ନ୍ତୁ

କିଡନୀ ରୋଗର ପେଣ୍ଠସ୍ଥଳୀ ଡୁଙ୍ଗରିପଡ଼ା
କିଡନୀ ରୋଗର ପେଣ୍ଠସ୍ଥଳୀ ଡୁଙ୍ଗରିପଡ଼ା

By

Published : Nov 13, 2022, 10:26 PM IST

ସମ୍ବଲପୁର:ଅଭିଶପ୍ତ ପାଲଟିଛି ସମ୍ବଲପୁର ମହାନଗର ନିଗମ 39ନମ୍ବର ୱାର୍ଡର ଡୁଙ୍ଗରିପଡା । ସତେ ଯେମିତି ଏହି ଡୁଙ୍ଗରିପଡାକୁ କାହାର ଅଶୁଭ ନଜର ଲାଗିଯାଇଛି । କିଡନୀ ରୋଗ କୋପରେ ପୁରା ଗାଁ । ଅବେଳାରେ ଲିଭିଯାଉଛି ବହୁ ଜୀବନ । ଲୋକ ସଂଖ୍ୟା କମିବାରେ ଲାଗିଛି ଡୁଙ୍ଗରିପଡା ସାହିରେ । ଏବେ ସୁଦ୍ଧା ଏହି ଗାଁରେ ୮ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୪ଜଣଙ୍କ ମୁଣ୍ଡ ନେଲାଣି ଏହି କିଡନୀ ରୋଗ । ଜଳବାୟୁ ପରିବର୍ତ୍ତନ ନା ଅନ୍ୟ କିଛି କାରଣ ତାହା କେହି ଜାଣିପାରୁନାହାଁନ୍ତି ।

କିଡନୀ ରୋଗର ପେଣ୍ଠସ୍ଥଳୀ ଡୁଙ୍ଗରିପଡ଼ା

ଏହାରି ଭୟ ଭିତରେ ଦିନ କଟୁଛି ଏହି ଗାଁର ଅଶୋକ ମିର୍ଦ୍ଧାଙ୍କ ଜୀବନ । ଗତ ୪ବର୍ଷ ତଳେ ପ୍ରଥମେ ଅଶୋକଙ୍କ ମାଆ ସରସ୍ଵତୀ ମିର୍ଦ୍ଧା କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ଆଉ ଆଜିକୁ ୨ ବର୍ଷ ହେବ ଅଶୋକ ମଧ୍ୟ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଏହି ଗାଁର ବିନୋଦ ମିର୍ଦ୍ଧା ମଧ୍ୟ ଗତ କିଛିଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡ଼ିରହିଛନ୍ତି । ଏନେଇ ଅନେକ ଚିକିତ୍ସା କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନି ।

ରାଜମିସ୍ତ୍ରୀ ଭାବେ ଅଶୋକ କାମ କରି ବହୁ କଷ୍ଟରେ ୨ ପଇସା ରୋଜଗାର କରିଥାନ୍ତି । ଏହି ରୋଜଗାରରେ ମାଆ ପୁଅ ବଞ୍ଚୁଥିବା ବେଳେ କିଡନୀ ରୋଗ ଏବେ ପରିବାର ପାଇଁ ବୋଝ ଉପରେ ନଳିତାବିଡ଼ା ସାଜିଛି । ସେପଟେ କିଡନୀ ରୋଗ ଯୋଗୁଁ ଅଶୋକ ମଧ୍ୟ ଆଉ କାମ କରିପାରୁନାହାଁନ୍ତି । ଧୀରେ ଧୀରେ ଦୁର୍ବଳ ହୋଇପଡ଼ିଲେଣି ଅଶୋକ । ନିଜକୁ ବଞ୍ଚାଇବା ସହ ମାଆଙ୍କୁ ବଞ୍ଚାଇବା ପାଇଁ କରୁଛନ୍ତି ଅନେକ ଚେଷ୍ଟା । ଏନେଇ ଅନେକ ଡାକ୍ତରଙ୍କୁ ମଧ୍ୟ ଦେଖାଇଲେଣି । ହେଲେ କିଛି ଲାଭ ମିଳୁନି । ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ ହେଲାଣି । ଏପରିକି ଚିକିତ୍ସା ପାଇଁ ନିଜର ଘର ଓ ଜମି ବନ୍ଧକ ରଖିଛନ୍ତି ଅଶୋକ ।

ଏବେ ଏହାର ଋଣ କିପରି ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି । ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ବେଳେ ଦିନକୁ ଓଳିଏ ବି ଖାଇବା ଅସମ୍ଭବ ହୋଇପଡିଛି । ଏପରି ଦୁଃଖଦ ସମୟରେ ଅଶୋକଙ୍କ ହାତ ଧରିଥିବା ସ୍ତ୍ରୀ ମଧ୍ୟ ଘର ଛାଡି ପଳାଇଛନ୍ତି । ବର୍ତ୍ତମାନ ସେ କୌଣସି କାମ କରି ପାରୁନଥିବାରୁ ଋଣ କିପରି ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି ।

ଏନେଇ CDMPHOଙ୍କୁ ପଚାରିବାରୁ ସେ କହିଥିଲେ ଏ ସମ୍ପର୍କରେ ତାଙ୍କ ପାଖରେ ସୂଚନା ନଥିଲା । ଏବେ ସୂଚନା ମିଳିବା ପରେ ସେଠାକୁ ଟିମ୍ ପଠାଇବି । ଏହାସହ ସେହି ସ୍ଥାନର ପାନୀୟଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ଏହାସହ ରୋଗର କାରଣ ଜାଣିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details