ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ

ସରକାର ଦେଇଥିବା ପ୍ରତିଶୃତି ପୂରଣ ହୋଇନଥିବା ଅଭିଯୋଗ କରି ଆନ୍ଦୋଳନ ଚେତାବନୀ ଦେଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ । ଅଧିକ ପଢ଼ନ୍ତୁ

kendu leaf workers union warns for protest
କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ

By

Published : Apr 12, 2023, 9:56 AM IST

କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ

ସମ୍ବଲପୁର: ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚେତାବନୀ ଦେଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କର୍ମଚାରୀଙ୍କ ଦାବି ପୂରଣ ପାଇଁ ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ବିଭାଗ ମଧ୍ୟରେ ତାଲମେଳର ଅଭାବ ଯୋଗୁଁ ଘୋଷଣା କାର୍ଯ୍ୟରେ ରୂପାନ୍ତରିତ ହୋଇ ପାରିନାହିଁ l ତେଣୁ ଏପ୍ରିଲ ଶେଷ ସୁଦ୍ଧା ଏହି ସବୁ ଦାବି ପୂରଣ ନହେଲେ ଆଗକୁ ରାଜ୍ୟ ସ୍ତରରେ ଆନ୍ଦୋଳନ କରାଯିବା ସହ ମେ' 1 ତାରିଖରେ ପ୍ରତିବାଦ ଦିବସ ପାଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ସମ୍ବଲପୁର ଦଲେଇପଢା କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାରା ରାଜ୍ୟର ୨୨ ଗୋଟି ଜିଲ୍ଲାରୁ ୧୯ ଗୋଟି ଡିଭିଜନର କେନ୍ଦୁପତ୍ର ତୋଳାଳୀ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଗତ ନଭେମ୍ବର 23 ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କର୍ମଚାରୀଙ୍କ ପୁଅ ଝିଅ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ର ବୃତ୍ତି ଘୋଷଣା କରିଥିଲେ । ତେବେ ଜଙ୍ଗଲ କେନ୍ଦୁପତ୍ର ବିଭାଗ, ଶିକ୍ଷା ବିଭାଗ, ଆଦିବାସୀ ହରିଜନ ବିଭାଗ ମଧ୍ୟରେ ତାଲମେଳର ଅଭାବ ଯୋଗୁଁ ଏହି ଘୋଷଣା କାର୍ଯ୍ୟକାରୀ ହୋଇପାରିନାହିଁ । ତେଣୁ ହଜାର ହଜାର ଛାତ୍ରଛାତ୍ରୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ସଂଘ ଅଭିଯୋଗ କରିଛି ।

ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦୁପତ୍ର କର୍ମଚାରୀଙ୍କୁ ସାମିଲ ହେବେ ବୋଲି କୁହାଯାଇଥିଲେ ମଧ୍ୟ ସେମାନଙ୍କୁ ସାମିଲ କରାଯାଇନି । ସର୍ଭେ ହୋଇଥିଲେ ସୁଦ୍ଧା କେନ୍ଦୁପତ୍ର କର୍ମଚାରୀଙ୍କୁ କାହିଁକି ସାମିଲ କରାଯାଇନି ବୋଲି ପ୍ରଶ୍ନ କରିଛି ସଂଘ । ଏନେଇ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଭାପତି କହିଛନ୍ତି," ଡ଼ିଏଫଓମାନଙ୍କ ଅବହେଳା ଯୋଗୁଁ ତୋଳାଳୀ କାର୍ଡ ନମିଳିବା, ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ନହେବା, 2022-23ର ବୋନସ ନମିଳିବା, କେନ୍ଦୁପତ୍ର କର୍ମଚାରୀଙ୍କ ଝିଅ ବିବାହ ପାଇଁ ପ୍ରୋତ୍ସାହନ ନମିଳିବା ଆଦି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଏହି ସବୁ ସମସ୍ୟା ନେଇ ରାଜ୍ୟ ସରକାର ତତ୍ପରତା ନଦେଖେଇଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ।"


ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟ ଉପସଭାପତି ଗୋକୁଳ ଚନ୍ଦ୍ର ମେହେର, ସଂପାଦକ ସଞ୍ଜିତ ମହାନ୍ତିଙ୍କ ସମେତ ସମସ୍ତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସର୍ବନିମ୍ନ ମଜୁରୀ ବୃଦ୍ଧି, ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି, କର୍ମଚାରୀଙ୍କୁ ମିଳିବାକୁ ଥିବା ବୋନସ ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଦାବି କରାଯାଇଛି l ଏଥିସହ କେନ୍ଦୁପତ୍ର କର୍ମଚାରୀଙ୍କ ସବୁ ପରିବାରଙ୍କୁ ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ସାମିଲ ସହ କନ୍ୟା ବିବାହ ସହାୟତା ଓ ଜିଏସଟି ଉଚ୍ଛେଦ କରିବାକୁ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details