ସମ୍ବଲପୁର: ମା' ସମଲେଶ୍ବରୀ ମନ୍ଦିରର ବିକାଶ ଲାଗି ରାଜ୍ୟ ସରକାର ଆରମ୍ଭ କରିଥିଲେ 'ସମଳେଇ ଯୋଜନା' । ସମଲେଶ୍ବରୀ ମନ୍ଦିରର ପାରିପାଶ୍ବିକ ବିକାଶ ଲାଗି ଯୋଜନା କାର୍ଯ୍ୟକାରୀ କରାଯାଇ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା କୋଠାଗୁଡିକୁ ଉଚ୍ଛେଦ କରାଯାଉଛି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ବିସ୍ଥାପିତ ହେବାକୁ ଥିବା ସ୍ଥାନୀୟ ବାସିନ୍ଦା । ଆଜି(ଗୁରୁବାର) ସମ୍ବଲପୁର ବାଳିବନ୍ଧାର ମହାନଦୀ ଘାଟରେ ପାଣି ଭିତରେ ପୋଷ୍ଟର ଧରି ଅଭିନବ ଉପାୟରେ ବିସ୍ଥାପନକୁ ବିରୋଧ କରିଛନ୍ତି ସେଠାକାର ଲୋକେ ।
ବିରୋଧକାରୀଙ୍କ କହିବା କଥା, ସମଳେଇ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ନେଇ କୌଣସି ପାରଦର୍ଶିତା ନାହିଁ । ବିସ୍ଥାପନ ପାଇଁ କୌଣସି ଜନଶୁଣାଣି ମଧ୍ୟ ହୋଇନାହିଁ । ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ ଭିନ୍ନ ଭିନ୍ନ ସମୟରେ ଉଚ୍ଛେଦ ନେଇ ନୋଟିସ ଜାରି ହେଉଛି ।