ସମ୍ବଲପୁର:ହନୁମାନ ଜୟନ୍ତୀ ବାଇକ ରାଲିରେ ଗୋଷ୍ଠୀ ସଂଘର୍ଷ ଓ ପଥରମାଡ଼ ଘଟଣା । ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ ସେବା । ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଜି ସକାଳ 10ଟାରୁ ଇଣ୍ଟରନେଟ ସେବା ବନ୍ଦ ରହିଛି । ଯାହା ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗୃହ ବିଭାଗ ଏନେଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଥରମାଡ଼ ଘଟଣା ପରେ ଜିଲ୍ଲାରେ ବୁଧବାର ଠାରୁ 144 ଧାରା ମଧ୍ୟ ଜାରି ରହିଛି ।
ଆସନ୍ତା 14 ତାରିଖରେ ହନୁମାନ ଜୟନ୍ତୀ ଥିବା ବେଳେ ଗତକାଲି (ବୁଧବାର) ସମ୍ବଲପୁର ଧନୁପାଲି ଛକରୁ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ପୋଲିସ କର୍ମଚାରୀ ମାନଙ୍କ ଉପରେ ପଥର ମାଡ଼ ହେବାରୁ 15ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଓ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ମଧ୍ୟ ଆହତ ହୋଇଥିଲେ ।