ସମ୍ବଲପୁର:ସୁରକ୍ଷିତ ଉଦ୍ଧାର ହେଲା ବୋରୱେଲ ଭିତରେ ଫିଙ୍ଗାଯାଇଥିବା ନବଜାତ ଶିଶୁକନ୍ୟା । ରାତି ପ୍ରାୟ ୯ଟା ୪୦ ମିନିଟରେ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତକକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ଶିଶୁଟି ସୁରକ୍ଷିତ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଖୁସିବ୍ୟକ୍ତ କରିବା ସହ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ।
ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ପରେ X ସାଇଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, " ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ । ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି।"
ମିଳିଥିବା ସୂଚନା ଅନୁସାରେ କିଛି ମହିଳା ଜଙ୍ଗଲକୁ କିଛି ଜଙ୍ଗଲ ଜାତ ଦ୍ରବ୍ୟ ଆଣିବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରୁଣା ପରିତ୍ୟକ୍ତ ବୋରୱେଲ ଗାତ ଭିତରୁ ଏକ ଶିଶୁର କାନ୍ଦିବାର ଶବ୍ଦ ଶୁଣିଥିଲେ । ଏହା ପରେ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନ ଓ ରେଙ୍ଗାଲି ଥାନାକୁ ଅବଗତ କରିଥିଲେ । ଏହା ପରେ ଘଟଣା ସ୍ଥଳକୁ ରେଙ୍ଗାଲି ବିଡ଼ିଓ, ସ୍ଥାନୀୟ ଥାନା ଅଧିକାରୀ, ତହସିଲଦାର ନିଜେ ଆସିବା ସହ ଅଗ୍ନିଶମ ବିଭାଗର ଟିମ, ସ୍ୱାସ୍ଥ୍ୟ ବିଭାଗର ଟିମ, ସ୍ଥାନୀୟ କଳ କାରଖାନାର ଉଦ୍ଧାରକରୀ ଦଳ ଆସି ପହଞ୍ଚିଥିଲେ ।