ସମ୍ବଲପୁର:ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଲାଗିଛି ଏବେ ପର୍ଯ୍ୟଟକଙ୍କ ଭିଡ଼ । ସେହିପରି ପଶ୍ଚିମ ଓଡ଼ିଶାରେ ରହିଛି ଅନେକ ଦର୍ଶନୀୟ ସ୍ଥାନ । ଏହି ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ସମ୍ବଲପୁର ଜିଲ୍ଲାର ମା' ଘଣ୍ଟେଶ୍ବରୀ ପୀଠ ଅନ୍ୟତମ । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ଚିପିଳିମା ଅଞ୍ଚଳରେ ଏହା ଅବସ୍ଥିତ । ସହରର କଚେରୀ ଛକରୁ ଚାଆରପୁରକୁ ଦ୍ଵିତୀୟ ମହାନଦୀ ସେତୁ ହେବା ପରେ ଏହି ରାସ୍ତା ଦେଇ ଘଣ୍ଟେଶ୍ବରୀ ପୀଠକୁ ଯାତ୍ରା ସୁଗମ ହୋଇଛି ।
ମହାନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶରେ ରହିଛି ମା' ଘଣ୍ଟେଶ୍ବରୀଙ୍କ ପୀଠ । ମା'ଙ୍କ ପୀଠରେ ଶୋଭା ପାଉଛି ଅନେକ ଛୋଟ ବଡ ଘଣ୍ଟି, ଯାହାର ଶବ୍ଦ ଶ୍ରଦ୍ଧାଳୁଙ୍କ ମନରେ ଭରି ଦିଏ ଅଫୁରନ୍ତ ଆଧ୍ୟାତ୍ମିକ ଚେତନା । 1770 ମସିହାରୁ ମା' ଘଣ୍ଟେଶ୍ବରୀଙ୍କ ଆବିର୍ଭାବ ହୋଇଥିଲା ଏହି ଆଧ୍ୟାତ୍ମିକ ସ୍ଥଳରେ । ଏଠାରେ ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁମାନେ ମା'ଙ୍କ ମନ୍ଦିରରେ ଘଣ୍ଟି ବାନ୍ଧିବାର ମାନ୍ୟତା ରହିଛି l ତେବେ ରାଜ୍ୟର ଅନ୍ୟ ଦେବୀ ପୀଠମାନଙ୍କ ପରି ଏଠାରେ ବଳି ଦିଆନଯିବା ଏହାର ବିଶେଷତା ଅଟେ । ମାନସିକଧାରୀମାନେ ନିଜର ମାନସିକ ପୂର୍ଣ୍ଣ ହେବା ପରେ ମାନସିକ ପାଇଁ ରଖିଥିବା ଛେଳି କିମ୍ବା କୁକୁଡ଼ାକୁ ଏହି ସ୍ଥାନରେ ମା'ଙ୍କ ଉଦ୍ଦେଶ୍ୟରେ ଛାଡି ଦିଅନ୍ତି ।