ଜୁଯୁମୁରା ସରପଞ୍ଚଙ୍କ ସ୍ୱାମୀ ମୃତ ସମ୍ବଲପୁର:ଜିଲ୍ଲାରେଥମୁନି ହାତୀ ଉପଦ୍ରବ । ପୁଣି ଆଉ ଏକ ମୁଣ୍ଡ ନେଲା ବଣୁଆ ହାତୀ । ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜୁଯୁମୁରା ବ୍ଲକ କଂସର ପଞ୍ଚାୟତରେ ଥିବା ଏକ ଢାବାର ମାଲିକ ତଥା ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଗୋପାଳ ପ୍ରଧାନ ।
ସୂଚନା ମୁତାବକ, ଗତକାଲି ସମସ୍ତ କାମ ସାରି ସେ ରାତି ପ୍ରାୟ ୯.୩୦ରେ ନିଜ ଢାବାକୁ ଯାଇଥିଲେ ଗୋପାଳ । ଏହାପରେ ରାତି ଗୋଟାଏରେ ଢାବା ବାହାରେ ଶୋଇଥିଲେ । ରାତି ପ୍ରାୟ ୨.୩୦ରୁ ୩ଟା ମଧ୍ୟରେ ହାତୀ ଗୋପାଳଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଘଟଣା ବାବଦରେ ସୂଚନା ପାଇବା ପରେ ପୋଲିସ ଓ ବନ ବିଭାଗ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଛନ୍ତି । ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରକୃତ କାରଣ କଣ ତାହା ଜଣାପଡିବ ବୋଲି ଉଭୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
ତେବେ ପ୍ରାରମ୍ଭିକ ତଦନ୍ତରୁ ହାତୀ ଆକ୍ରମଣରୁ ଗୋପାଳଙ୍କ ମୃତ୍ୟୁ ଘଟିଥିବା ନେଇ ପୋଲିସ ସନ୍ଦେହ କରୁଛି । ତେବେ ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିବ । ଗୋପାଳଙ୍କ ପତ୍ନୀ ବାସନ୍ତୀ ପ୍ରଧାନ ବର୍ତ୍ତମାନ ଯୁଯୋମୁରା ପଞ୍ଚାୟତର ସରପଞ୍ଚ ଦାୟିତ୍ବରେ ରହିଛନ୍ତି । ଗୋପାଲଙ୍କ ଅକାଳ ମୃତ୍ୟୁରେ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ସେପଟେ ବନ ବିଭାଗର ତ୍ରୁଟିପୂର୍ଣ ବନ୍ୟ ପରିଚାଳନା, ଜଙ୍ଗଲ ନଷ୍ଟ, ହାତୀଙ୍କୁ ଖାଦ୍ୟ ମିଳୁନଥିବାରୁ, ହାତୀ ଏବେ ଜନବସତି ମୁହାଁ ହେଉଥିବା ଅଭିଯୋଗ ହୋଇଛି । ତା ସହିତ ଜନ୍ତୁ ଶିକାର, ହାତୀ କରିଡର ନଷ୍ଟ ହେବା ଯୋଗୁଁ ଏହି ଅଞ୍ଚଳରେ ବାରମ୍ବାର ହାତୀ ମଣିଷ ମୁହାଁମୁହିଁ ହେଉଛନ୍ତି । ଫଳରେ ହାତୀ କିମ୍ବା ମଣିଷର ଜୀବନ ଯାଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି l
ସେହିପରି ଗତକାଲି ଅନୁଗୋଳ ଜିଲ୍ଲାର ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଗୋଟିଏ ଦିନରେ ଦୁଇଜଣଙ୍କ ଜୀବନ ନେଇଛି ହାତୀ । ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ନିଜ ବଗିଚାରେ ବାଉଁଶ ବାଡ଼ ଦେଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଏହି ଘଟଣାର କିଛି ସମୟ ପରେ ପାଖ ଗାଁ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ ନାମକ ଜଣେ ବୃଦ୍ଧଙ୍କୁ କଚାଡି ମାରିଥିଲା ହାତୀ ।
ଇଟିଭି ଭାରତ, ସମ୍ବଲପୁର