ସମ୍ବଲପୁର: ଅଟୋ ଡ୍ରାଇଭର ଦେଖାଇଲେ ମାନବିକତା । ତାଙ୍କ ଅଟୋରେ ଯିବା ସମୟରେ ଯାତ୍ରୀ ଟଙ୍କା ଭର୍ତ୍ତି ବ୍ୟାଗ୍ ଛାଡି ଚାଲି ଯାଇଥିଲେ । କିନ୍ତୁ ଲୋଭର ବଶବର୍ତ୍ତୀ ନହୋଇ ଯାତ୍ରୀଙ୍କୁ ୮୦ ହଜାର ୫୦୦ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରେଇ ଦେଲେ ଅଟୋ ଚାଳକ । ଘଟଣାଟି ଘଟିଛି ସମ୍ବଲପୁର ସହର ଟାଉନ ଥାନା ଅଞ୍ଚଳରେ । ଅଟୋ ଚାଳକଙ୍କ ନାମ ଚୁଡାମଣି ଲୁହା । ନିଜର ସଚ୍ଚୋଟତା ଓ ମଣିଷ ପଣିଆ ପାଇଁ ଏବେ ସେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ଆଜି ବି ସମାଜରେ ମାନବିକତା ବଞ୍ଚି ରହିଥିବାର ବଳିଷ୍ଠ ପ୍ରମାଣ ଦେଉଛି ।
ସୂଚନା ଅନୁଯାୟୀ, ସମ୍ବଲପୁର ଚାଅଁରପୁର ମୁଣ୍ଡୋଘାଟରେ ରୁହନ୍ତି ଅଟୋ ଡ୍ରାଇଭର ଚୁଡ଼ାମଣି । ପ୍ରତିଦିନ ପରି ସେ ସୋମବାର ଦିନ ଯାତ୍ରୀ ଅପେକ୍ଷାରେ ଥିଲେ । ଏତିକି ବେଳେ ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ ଛକରୁ ୪ ଜଣ ଯାତ୍ରୀ ତାଙ୍କ ଅଟୋରେ ଯୁଜୁମରା ବ୍ଳକ ସ୍ଥିତ ପର୍ଯ୍ୟଟନ ସ୍ଥଳୀ ଦେଓଝରଣ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ଚୁଡ଼ାମଣି ଦେଓଝରଣରୁ ଯାତ୍ରୀଙ୍କ ପୁଣି ଆଣି ଲକ୍ଷ୍ମୀ ଟକିଜ ଛକରେ ଛାଡ଼ି ଦେଇଥିଲେ । ରାତି ହୋଇଥିବାରୁ ଉଭୟ ଯାତ୍ରୀ ଓ ଅଟୋ ଡ୍ରାଇଭର ନିଜ ନିଜ ଘରକୁ ଫେରି ଯାଇଥିଲେ । ପରବର୍ତ୍ତୀ ସମୟରେ ଅଟୋରେ ଯାଇଥିବା ଯାତ୍ରୀମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ୮୦ ହଜାର ୫୦୦ ଟଙ୍କା, ପାନକାର୍ଡ, ପରିଚୟ ପତ୍ର ,ଏଟିଏମ୍ କାର୍ଡ ଥିବା ଏକ ବ୍ୟାଗ ଅଟୋରେ ଛାଡି ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଅଟୋ ଚାଳକଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍