ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର 6ଶହ ଫୁଟ ଛୁଇଁନଥିବା ବେଳେ ଏହାର ସିଧାସଳଖ ପ୍ରଭାବ ପଡିଛି ବୁର୍ଲା ଓ ଚିପିଲିମାର OHPC ଜଳ ବିଦ୍ୟୁତ କେନ୍ଦ୍ର ଉପରେ। ବୁର୍ଲାର OHPCର 7ଟି ୟୁନିଟରୁ ଏବେ ମାତ୍ର 2ଟିରେ ଓ ଚିପିଲିମାର 3 ଟି ୟୁନିଟ ରୁ ମାତ୍ର ଗୋଟିଏରୁ ହିଁ ବିଦ୍ୟୁତ ଉତ୍ପାଦନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସ୍ଥିର ହୋଇରହିଛି। ବର୍ଷା ଅଭାବ ଯୋଗୁଁ ଜଳସ୍ତର କମିଥିବା ଜଣାପଡିଛି । ଗତବର୍ଷ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର 612ଫୁଟ ଥିବା ବେଳେ ମହାନଦୀରେ ପ୍ରଥମ ବନ୍ୟାଜଳ ମଧ୍ୟ ଛଡା ସରିଥିଲା । ତେବେ ଆଜିର ଦିନରେ ଏହାର ଜଳସ୍ତର ରହିଛି ମାତ୍ର 598.39 ଫୁଟ।
ଏଭଳି ପରିସ୍ଥିରେ ବୁର୍ଲା OHPCକୁ ଜଳ ଯୋଗାଣରେ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ OHPC କୁ 13 ହଜାର 500 କ୍ୟୁସେକ ଜଳ ଦିଆ ଯାଉଥିବା ବେଳେ ବର୍ତ୍ତମାନ 3 ହଜାର 500 କ୍ୟୁସେକ ଜଳ ଦିଆଯାଉଛି । ଏହାଫଳରେ କେବଳ 2 ଟି ୟୁନିଟ ଜରିଆରେ ବିଦ୍ୟୁତ ଉତ୍ପାଦନ ହେଉଛି। ପୂର୍ବରୁ 2,3 ଓ 7 ନମ୍ବର ୟୁନିଟ ଜରିଆରେ ପାଖାପାଖି 72 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ କେବଳ 2 ଓ 7 ନମ୍ବର ୟୁନିଟ ଜରିଆରେ ମାତ୍ର 22 ମେଗାୱାଟ ବିଦ୍ୟୁତ ହିଁ ଉତ୍ପାଦନ ହେଉଛି।