ସମ୍ବଲପୁର: ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟଙ୍କ ତାଗିଦ ସତ୍ତ୍ବେ ଜାରି ରହିବ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ଆସନ୍ତା କାଲିଠାରୁ ଶାନ୍ତିପୂର୍ଣ ଭାବେ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ କରିବ ଜିଲ୍ଲା ଓକିଲ ସଙ୍ଘ । ତେବେ ଏଥର ବିଚାରପତିଙ୍କୁ ପିକେଟିଙ୍ଗ କରାଯିବନି ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ସଭାପତି । ହେଲେ ଏଥର ବିଚାରପତି ମାନେ କୋର୍ଟ ଯାଇ ପାରିବେ । କିନ୍ତୁ କୌଣସି ଆଇନଜୀବୀ କାର୍ଯ୍ୟରେ ଯୋଗ ଦେବେନି ବୋଲି ଆଜି ସୂଚନା ଦିଆଯାଇଛି ।
ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବୀ ନେଇ ଗତ ନଭେମ୍ବର ମାସର ପ୍ରତ୍ୟେକ ବୁଧବାର ଦିନ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବନ୍ଦ ଡାକରା ଦିଆଯିବା ସହ କୋର୍ଟ କଚେରୀ ଏବଂ ରାଜ୍ୟ ସରକାର ଙ୍କ ପ୍ରତ୍ୟେକ କାର୍ଯ୍ୟାଳୟ ବନ୍ଦ ଡାକରା ଦିଆଯାଉଥିଲା । ତେବେ ଆସନ୍ତା ବୁଧବାର ଦିନ ଜିଲ୍ଲା ଓକିଲ ସଙ୍ଘର ଆନ୍ଦୋଳନର ରୂପରେଖାରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏନେଇ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ସଭାପତି ସୁରେଶ୍ୱର ମିଶ୍ର ସୂଚନା ଦେଛନ୍ତି । ଆସନ୍ତା କାଲିଠାରୁ 11 ତାରିଖ ପର୍ଯ୍ୟନ୍ତ ସକାଳ 9 ଟା ସମୟରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିବେ । ଏହି ସମୟରେ ଓକିଲ ସଙ୍ଘର ସମସ୍ତ ସଦସ୍ୟ କଳା ବ୍ୟାଚ ଓ କଳା ଆର୍ମ ବ୍ୟାଚ ପରିଧାନ କରି ପ୍ରତିବାଦ କରିବେ । ଏହି ସମୟରେ ବିଚାରପତି ମାନେ କୋର୍ଟକୁ ଯିବା ସମୟରେ କୌଣସି ବାଧା ଦିଆ ଯିବନାହିଁ ବୋଲି ଜିଲ୍ଲା ଓକିଲ ସଙ୍ଘର ସଭାପତି ସୂଚନା ଦେଇଛନ୍ତି ।