ସମ୍ବଲପୁର: ଜିଏମ ବିଶ୍ବବିଦ୍ୟାଳୟରେ ଜାରି ରହିଛି ଛାତ୍ର ଅଶାନ୍ତି । ଅଧ୍ୟାପକଙ୍କ ବଦଳି ଘଟଣାକୁ ନେଇ ଗୁରୁବାରଠାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଶୁକ୍ରବାର ମଧ୍ୟ ଜାରି ରହିଛି ସେମାନଙ୍କ ବିକ୍ଷୋଭ । ଏନେଇ ଜିଏମ ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟରେ ଛାତ୍ରଛାତ୍ରୀମାନେ ତାଲା ପକାଇ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର ସୂଚନା ଅନୁଯାୟୀ ଜିଏମ୍ ବିଶ୍ବବିଦ୍ୟାଳୟରେ ପୂର୍ବରୁ ଅଧ୍ୟାପକ ଅଭାବ ରହିଥିବା ବେଳେ ବର୍ଷ ମଝିରୁ ହଠାତ୍ 8ଜଣ ଅଧ୍ୟାପକଙ୍କୁ କାହିଁକି ବଦଳି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ବିନା ରିଲିଭରରେ କିପରି ଏହି କାର୍ଯ୍ୟରେ ସହମତି ପ୍ରକାଶ କରିଛନ୍ତି ଅଧ୍ୟକ୍ଷା ବୋଲି ମଧ୍ୟ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ଏନେଇ ପିଲାମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ କଲେଜର ମନମୁଖୀ ଶାସନ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ ବିପଦରେ ପକାଇବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।
ଆଗକୁ ଟେଷ୍ଟ ପରୀକ୍ଷା ଥିବା ବେଳେ ହଠାତ୍ ଅଧ୍ୟାପକଙ୍କ ବଦଳି ଯୋଗୁଁ ଉତ୍ତେଜନା ଲାଗି ରହିଥିବା ବେଳେ ଅଧ୍ୟକ୍ଷା ବଦଳି ଅର୍ଡରରେ ଦସ୍ତଖତ କରି ଛୁଟିରେ ଚାଲିଯିବା ବିଷୟକୁ ଛାତ୍ରଛାତ୍ରୀ ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଜିଏମ ଜୁନିଅର କଲେଜକୁ ସ୍ଥାଣୁ କରିବାର ଏହା ଏକ ଚାଲ ବୋଲି ଅଭିଯୋଗ କରିଛନ୍ତି। ଶିକ୍ଷକ ବଦଳିକୁ ବିରୋଧ କରି ଗୁରୁବାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ରିଲିଭର ନ ଆସିବା ଯାଏଁ ଶିକ୍ଷକଙ୍କୁ ରିଲିଭ ନକରିବାକୁ ଅନୁରୋଧ କରାଯାଇଥିଲା । ଏହାସହ ମହାବିଦ୍ୟାଳୟରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଯାଏଁ ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।
ଗୁରୁବାର ଆନ୍ଦୋଳନରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ପରେ ଶୁକ୍ରବାର ପୁଣି ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟ । ଶୁକ୍ରବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିଲେ ଉପଜିଲ୍ଲାପାଳ। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସେ ବୁଝାସୁଝା କରିଥିଲେ। ତାପରେ ମୁଖ୍ୟ ଗେଟକୁ ଖୋଲି ଦିଆଯାଇଥିଲା। ଅଧ୍ୟାପକଙ୍କୁ ବଦଳି ବାବଦରେ ସମସ୍ତ ବିଷୟ ସରକାରଙ୍କୁ ଅବଗତ କରାଯିବ ବୋଲି ମଧ୍ୟ ସେ କହିଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ