ସମ୍ବଲପୁର: ଆଜି(ବୁଧବାର) ସାରା ଦେଶ ପାଳୁଛି ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ । ସମ୍ବଲପୁରରେ ମଧ୍ୟ ଶ୍ରଦ୍ଧା ଓ ଉଲ୍ଲାସର ସହ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି(ବୁଧବାର) ଭତ୍ରା ସ୍ଥିତ ପ୍ରସିଦ୍ଧ ଗାନ୍ଧୀ ମନ୍ଦିରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମ୍ବଲପୁରରେ ଗାନ୍ଧୀ ଜୟନ୍ତୀର ସ୍ଵତନ୍ତ୍ରତା ରହିଛି । କାରଣ ଏଠାରେ ମହାତ୍ମା ଗାନ୍ଧୀଙ୍କୁ ଈଶ୍ବର ଭାବେ ପୂଜା କରାଯାଉଥିବା ମନ୍ଦିରରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥାଏ । ଏହି କ୍ରମରେ ଆଜି(ବୁଧବାର) ସମ୍ବଲପୁର ଧନୁପାଲି ପେଟ୍ରୋଲ ପମ୍ପଠାରୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଶୋଭାଯାତ୍ରା ବାହାରି ଥିଲା ।
ଏହି ଶୋଭାଯାତ୍ରା ଭତ୍ରା ସ୍ଥିତ ପ୍ରସିଦ୍ଧ ଗାନ୍ଧୀ ମନ୍ଦିର ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଡିଏଓ ଡଃ ସଞ୍ଜିତ କୁମାର ପ୍ରମୁଖ ସାମିଲ ହୋଇ ସ୍ବଚ୍ଛ ସମ୍ବଲପୁର ଓ ପଲିଥିନ ମୁକ୍ତ ସମ୍ବଲପୁରର ବାର୍ତ୍ତା ଦେଇଥିଲେ । ଏହାପରେ ଗାନ୍ଧୀ ମନ୍ଦିରରେ ବାପୁଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।