ସମ୍ବଲପୁର: ଜିଲ୍ଲାରେ ରହିଛି ଭରପୂର ଜଙ୍ଗଲ ସମ୍ପଦ। ଆଉ ଏହା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରି ଆସୁଛି। ମୁଖ୍ୟତଃ ଏଠାରୁ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟରେ ଗରିବ ଲୋକଙ୍କ ଜୀବନ ଜୀବିକା ନିର୍ବାହ ହୋଇଥାଏ। ଏହିଭଳି ଏକ ଜଙ୍ଗଲଜାତ ଦ୍ରବ୍ୟ ହେଲା ଛତୁ। ମୁଖ୍ୟତଃ ବର୍ଷା ଦିନେ ଏହା ଗରିବ ଲୋକଙ୍କ ରୋଜଗାରର ଏକ ବଳିଷ୍ଠ ମାଧ୍ୟମ ସାଜିଥାଏ । ଆଉ ବର୍ତ୍ତମାନ କମ ବର୍ଷା ହେଉଥିବାରୁ ଏହି ଜଙ୍ଗଲି ଛତୁର ଦାମ କାହିଁରେ କ’ଣ ।
ଆଦିବାସୀଙ୍କ ପେଟ ପୋଷୁଛି ଜଙ୍ଗଲୀ ଛତୁ, ବର୍ଷା ନଥିବାରୁ ବଢୁଛି ଦାମ୍ - ସମ୍ବଲପୁର ଜଙ୍ଗଲି ଛତୁ
ସମ୍ବଲପୁରରେ ଥିବା ପର୍ଯ୍ୟାପ୍ତ ଜଙ୍ଗଲ ଜମିରେ ହେଉଥିବା ବିଭିନ୍ନ ପଦାର୍ଥ ଉପରେ ଗରିବ ଜନଜାତି ନିର୍ଭରଶୀଳ । ଏବେ ସେଠାରେ ହେଉଥିବା ଜଙ୍ଗଲୀ ଛତୁ ସେମାନଙ୍କ ପାଇଁ ଏକ ପ୍ରକାର ଜୀବିକା ପାଲଟିଯାଇଛି । ଅଧିକ ପଢନ୍ତୁ...

ମଟନ କିଲୋ 600 ଟଙ୍କା ରହିଥିବା ବେଳେ ଜଙ୍ଗଲି ଛତୁର ଦାମ ମାର୍କେଟରେ ରହିଛି କିଲୋ ପିଛା 800ଟଙ୍କା। ସମ୍ବଲପୁର ଜିଲ୍ଲାରେ ମିଳୁଥିବା ବାଏଲ ଛତୁ(ବାଲି ଛତୁ)ର ଦାମ ବର୍ତ୍ତମାନ କିଲୋ ପିଛା ରହିଛି 800 ଟଙ୍କା। କେବଳ ଏହି ଛତୁ ନୁହେଁ ବର୍ତ୍ତମାନ ସମ୍ବଲପୁର ଫୁଟପାତ ମାର୍କେଟରେ ମିଳୁଛି ଏହି ଭଳି ଅନେକ ପ୍ରକାର ଜଙ୍ଗଲି ଛତୁ, ଯାହାର ଦାମ 200ରୁ 800 ଟଙ୍କା ପର୍ଯ୍ୟନ୍ତ ରହିଛି। ଆଉ ଏଗୁଡ଼ିକୁ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଜମୁଛି। ଏହା ଦ୍ୱାରା ଗାଁ ଗହଳିର ଗରିବ ଲୋକେ ଭଲ ଦି-ପଇସା ରୋଜଗାର କରୁଛନ୍ତି। ଜଙ୍ଗଲ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ଜଙ୍ଗଲରୁ ଏହି ବିଭିନ୍ନ ପ୍ରକାର ଛତୁ ସଂଗ୍ରହ କରି ବର୍ଷା ଋତୁ ତମାମ ଭଲ ରୋଜଗାର କରୁଛନ୍ତି।
ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର ଛତୁ ବର୍ତ୍ତମାନ ମିଳୁଛି ଆଉ ଏହାର ଦାମ କେତେ। ବର୍ତ୍ତମାନ ସମ୍ବଲପୁର ମାର୍କେଟରେ ମିଳୁଛି ବାଏଲ ଛତୁ, ବିହିଡେନ ଛତୁ, ବାଉଁଶ ଛତୁ, ରୁଗୁଡା ଛତୁ, ମରଡୋ ଛତୁ, ଭଦୋ ମହଲା ଓ ଦଶହରା ମହଲା ଛତୁ। ବାଏଲ ଛତୁ କିଲୋ ପିଛା 800ଟଙ୍କା, ବିହେଡେନ ଛତୁ 600 ଟଙ୍କା, ରୁଗୁଡା ଛତୁ 400 ଟଙ୍କା, ବାଉଁଶ ଛତୁ 200 ଟଙ୍କା, ମରଡୋ 200 ଟଙ୍କା, ଭଦୋ ମହଲା 200 ଟଙ୍କା ଓ ଦଶହରା ମହଲା 200 ଟଙ୍କା ରହିଛି। ତେବେ ଏଥର ଏହି ଜଙ୍ଗଲି ଛତୁ ଗୁଡିକର ଦାମ ଅପେକ୍ଷାକୃତ ଅଧିକ ରହିବାର କାରଣ ରହିଛି କମ ବର୍ଷା। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ବର୍ଷା ହେଉନଥିବାରୁ ଏହି ଜଙ୍ଗଲି ଛତୁର ଦାମ ଟିକେ ଅଧିକ ରହିଛି ।
ତେବେ ସେ ଯାହା ହେଉନା କାହିଁକି ଯେତିକି ଛତୁ ଜଙ୍ଗଲରୁ ବାହାରୁଛି ତାହାଦ୍ୱାରା ଗରିବ ଲୋକ ବେଶ ଦି-ପଇସା ରୋଜଗାର କରିପାରୁଛନ୍ତି । ବର୍ଷ ବର୍ଷ ଧରି ଏହି ଜଙ୍ଗଲି ଛତୁ ସ୍ଥାନୀୟ ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ହୋଇ ଆସିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ