ସମ୍ବଲପୁର:ହାତୀ-ମଣିଷର ଲଢେଇରେ ବନ କର୍ମଚାରୀମାନେ ସବୁବେଳେ ନିନ୍ଦିତ ହୋଇଥାନ୍ତି । ହେଲେ ଏପରି ବି କିଛି ବନ କର୍ମଚରୀ ଅଛନ୍ତି, ଯିଏକି ନିଜ ଜୀବନକୁ ବାଜି ଲଗାଇ ଗାଁ ଗହଳିରେ ହାତୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ଯ କରୁଛନ୍ତି । ରେଢାଖୋଲ ବନଖଣ୍ଡରୁ ଏଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖାଯାଇଛି ଜଣେ ଫରେଷ୍ଟ ଗାର୍ଡ ଅତ୍ୟନ୍ତ ବାହାଦୂରୀ ଦେଖାଇ ଫସଲ ନଷ୍ଟ କରୁଥିବା ହାତୀକୁ ଏକାକୀ ସାମ୍ନା କରୁଛନ୍ତି ।
ଫରେଷ୍ଟ ଗାର୍ଡ ଜଣକ ହାତରେ ମଶାଲ ଧରି ଦନ୍ତାକୁ ଜଙ୍ଗଲକୁ ଘଉଡାଇଛନ୍ତି । ଏହି ସାହାସୀ ବନ କର୍ମଚାରୀ ହେଉଛନ୍ତି ଚିତ୍ତ ରଞ୍ଜନ ମିରି । ଯାହା ସୂଚନା ମିଳିଛି, ଚଡଚଡି ଓ ଅଙ୍ଗାବିରା ଗାଁ ମଝିରେ ଏକ ଦନ୍ତା ହାତୀ ଆସି ଫସଲ ନଷ୍ଟ କରୁଥିଲା । ଖବର ପାଇ ଚିତ୍ତ ରଞ୍ଜନ ତାଙ୍କ ହାତୀ ସ୍କ୍ବାର୍ଡ ସହ କିଛି ୱାଚରଙ୍କ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଗାଁ ଲୋକଙ୍କୁ ସେଠାରୁ ପଠାଇବା ପରେ ନିଜେ ହାତୀ ଘଉଡାଇବା କାର୍ଯ୍ୟରେ ଲାଗି ପଡିଥିଲେ ଚିତ୍ତ ରଞ୍ଜନ ।