ସମ୍ବଲପୁର: ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁର ସ୍ଥିତ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ l ଗୋଦାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ । ସକାଳ ପ୍ରାୟ 10ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପ୍ରାୟ 3 ଘଣ୍ଟା ଆପ୍ରାଣ ଉଦ୍ୟମରେ ନିଆଁକୁ ଆୟତ୍ତ କରିଛି | ତେବେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ l ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ପରିସ୍ଥିତିର ନିରୀକ୍ଷଣ କରିଛନ୍ତି l
ପାଇପ କମ୍ପାନୀ କର୍ତ୍ତୃପକ୍ଷ ଜ୍ୟୋତି ରଞ୍ଜନ ଶତପଥିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କମ୍ପାନୀର କାନ୍ଥ ବାହାରେ ଥିବା କ୍ଷେତର ନଡାରେ କୌଣସି କାରଣରୁ ନିଆଁ ଲାଗି ଘାସ ଜରିଆରେ ନିଆଁ ପାଇପ ଥିବା ଅଞ୍ଚଳକୁ ବ୍ୟାପିଥିଲା l ପ୍ରଥମେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ l ତେବେ ନିଆଁ ଲିଭିବା ପରିବର୍ତ୍ତେ ଆହୁରି ହୁହୁ ହୋଇ ଜଳିଥିଲା ଏବଂ ଚାରିଆଡେ ଧୂଆଁମୟ ହୋଇ ଯାଇଥିଲା l ଅଗ୍ନିଶମ ବାହିନୀକୁ ସୂଚନା ଦେବା ପରେ ମାନେଶ୍ୱେର ଜୁଯୁମୁରା, ସମ୍ବଲପୁରର ଅଗ୍ନିଶମ ବାହିନୀର 5ଟି ଟିମ୍ ପହଞ୍ଚି 3 ଘଣ୍ଟା ପରିଶ୍ରମ କରି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛି l ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି l