ଓଡିଶା

odisha

ସମ୍ବଲପୁରରେ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ, ଯୋଗଦେଲେ ୧୩ ରାଜ୍ୟରୁ ୯୫ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ

By ETV Bharat Odisha Team

Published : Oct 3, 2023, 9:21 PM IST

ବିଦ୍ୟାଳୟସ୍ତରରେ ଫୁଟବଲକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ବଲପୁରରେ ଆୟୋଜିତ ହୋଇଛି ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ । ଦୁଇ ଦିନିଆ ଏହି କର୍ମଶାଳାରେ ଭାରତର ପୂର୍ବ ଓ ପୁର୍ବୋତ୍ତର ୧୩ ରାଜ୍ୟରୁ ୯୫ ଜଣ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ
ସମ୍ବଲପୁରରେ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ

ସମ୍ବଲପୁରରେ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ

ସମ୍ବଲପୁର: ବିଦ୍ୟାଳୟସ୍ତରରେ ଫୁଟବଲ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫୁଟବଲ୍ ଆସୋସିଏସନର ଅନ୍ତର୍ଜାତୀୟ ମହାସଂଘ ବା 'ଫିଫା' ପକ୍ଷରୁ 'ଫୁଟବଲ୍ ଫର୍ ସ୍କୁଲ୍‌' ନାମକ ଏକ ଅନ୍ତର୍ଜାତୀୟ ଯୋଜନା ହାତକୁ ନିଆଯାଇଛି । ଏଥିରେ ପୃଥିବୀର ବିଭିନ୍ନ ଦେଶର ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକମାନଙ୍କୁ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ଦିଆଯାଉଛି । ସମ୍ବଲପୁର ଜମାଦାରପାଲିସ୍ଥିତ ଫୁଟବଲ୍ ଏକାଡେମୀରେ 'ଫିଫା ଫୁଟବଲ୍ ଫର୍ ସ୍କୁଲ'ର ଦୁଇ ଦିନିଆ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଏଥିରେ ଯୋଗଦେଇଥିଲେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଟ୍ରେନର । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଫୁଟବଲ୍‌ କୌଶଳ ସହିତ ଜୀବନ କୌଶଳର ଦକ୍ଷତା ବୃଦ୍ଧି କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏହା ଏକ ଅଭିନବ ପଦକ୍ଷେପ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଫିଫା ମଧ୍ୟରେ ହୋଇଥିବା ଏମ୍‌ଓୟୁ ଅନୁସାରେ ପୂର୍ବ ଓ ପୂର୍ବୋତ୍ତର ଭାରତର ସମ୍ବଲପୁରଠାରେ ଫୁଟବଲ ଫର୍‌ ସ୍କୁଲ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଆଗକୁ ଏହା ପୁନେ ଓ ବାଙ୍ଗାଲୋରଠାରେ ଅନୁଷ୍ଠିତ ହେବ ।

ଦେଶର ମାତ୍ର ୩ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମେ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବ ଓ ପୂର୍ବୋତ୍ତର ଭାରତର ୧୩ଟି ରାଜ୍ୟର ସ୍କୁଲଗୁଡ଼ିକର କ୍ରୀଡ଼ା ଶିକ୍ଷକମାନଙ୍କୁ 'ଫିଫା'ର ୨ ଜଣ ଅନ୍ତର୍ଜାତୀୟ ଟ୍ରେନର 'ମାଷ୍ଟର ଟ୍ରେନର'ର ତାଲିମ ଦେଇଛନ୍ତି । ପରେ ଏହି ଶିକ୍ଷକମାନଙ୍କ ଏକ ଟେଷ୍ଟ କରାଯାଇ ମାଷ୍ଟର ଟ୍ରେନରର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ଏହି ଶିକ୍ଷକମାନେ ନିଜ ନିଜ ରାଜ୍ୟରେ ଅନ୍ୟ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ତାଲିମ ଦେବେ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଫିଫା, ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେସନ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଫିଫା ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମର ପ୍ରଥମ ପ୍ରଶିକ୍ଷଣ କର୍ମଶାଳା ସମ୍ବଲପୁରଠାରେ ଆୟୋଜିତ ହୋଇଛି । ସମ୍ବଲପୁର ସହର ଉପକଣ୍ଠ ଜମାଦାରପାଲି ପିତାପାଲିସ୍ଥିତ ସମ୍ବଲପୁର ଫୁଟବଲ୍ ଏକାଡେମୀଠାରେ ଦୁଇ ଦିନିଆ କର୍ମଶାଳା ଉଦ୍‌ଯାପନ ହୋଇଛି । ସୋମବାର ଏହି କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉପସଚିବ ଚରଣଜିତ୍ ତନେଜା, ଫିଫା ଫୁଟବଲ୍ ଫର୍ ସ୍କୁଲର ଜାତୀୟ ସଂଯୋଜକ ଅମ୍ଳାନ କଲମ, ଫିଫା ଫୁଟବଲ୍ ଫର୍ ସ୍କୁଲର ପ୍ରକଳ୍ପ ପ୍ରବନ୍ଧକ ଆଣ୍ଟନିଓ ସାଞ୍ଚେସ, ଅଖିଳ ଭାରତୀୟ ଫୁଟବଲ୍ ମହାସଂଘର ତୃଣମୂଳ କମିଟିର ଅଧ୍ୟକ୍ଷ ମୂଲରାଜ୍ ସିଂ ଓ ଅନ୍ୟ ଅତିଥିମାନେ ଦୀପ ପ୍ରଜ୍ବଳନ କରି ପ୍ରଶିକ୍ଷଣ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଭାଗ ନେଇଛନ୍ତି 12 ନାମୀଦାମୀ ଟିମ

ଏହି ପ୍ରଶିକ୍ଷଣ ଶିବିରରେ ଭାରତର ପୂର୍ବ ଓ ପୁର୍ବୋତ୍ତର ୧୩ ରାଜ୍ୟରୁ ୯୫ ଜଣ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ କର୍ମଶାଳାରେ ପୂର୍ବାହ୍ନରେ ଥିଓରୀ(ଲିଖିତ ଓ ବାଚିକ) ପ୍ରଶିକ୍ଷଣ ଦିଆଯାଇଥିଲା ଓ ଅପରାହ୍ନରେ ପ୍ରାକ୍ଟିକାଲ(ବ୍ୟବହାରିକ) ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣ କର୍ମଶାଳାର ଶେଷ ଦିନରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଡିପ୍ଲୋମା ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ସମ୍ବଲପୁର ପରେ ବାଙ୍ଗାଲୋର ଓ ପୁନେ ଠାରେ ଏଭଳି ପ୍ରଶିକ୍ଷଣ କର୍ମଶାଳାର ଆୟୋଜନ ହେବ, ଯେଉଁଥିରେ ଦେଶରେ ଅନ୍ୟ ରାଜ୍ୟଗୁଡ଼ିକରୁ ପ୍ରଶିକ୍ଷାର୍ଥୀମାନେ ଭାଗ ନେବେ । ଫିଫା ଭଳି ଏକ ଅନ୍ତର୍ଜାତୀୟ ସଙ୍ଗଠନର ଏଭଳି ଏକ ଅନ୍ତଃରାଷ୍ଟ୍ରୀୟ ପ୍ରଶିକ୍ଷଣ କର୍ମଶାଳାର କାର୍ଯ୍ୟକ୍ରମ ସମ୍ବଲପୁରରେ ଆୟୋଜନ ହେଉଥିବା ବେଳେ ଏହାଦ୍ବାରା ସ୍ଥାନୀୟ ଫୁଟବଲ ପ୍ରତିଭାଗୁଡିକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ଏହିଭଳି ଏକ ଜାତୀୟସ୍ତରର ଫୁଟବଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

For All Latest Updates

ABOUT THE AUTHOR

...view details