ସମ୍ବଲପୁର: ଯୁଗ ବଦଳୁଛି । ଯୁଗ ସହ ତାଳଦେଇ ବଦଳୁଛି ଲୋକଙ୍କ ଜୀବନଶୈଳୀ । ବିଶେଷକରି ମହିଳାଙ୍କ କ୍ଷେତ୍ରରେ ବହୁ ପରିବର୍ତ୍ତନ ଆସିଛି । ଆଗଭଳି ମହିଳାମାନେ ଘରର ଚାରିକାନ୍ଥ ଭିତରେ ସୀମିତ ହୋଇ ରହୁନାହାଁନ୍ତି । ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢୁଛନ୍ତି । ଜଳ, ସ୍ଥଳ, ମହାକାଶରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରୁଛନ୍ତି ମହିଳା । ଏପରିସ୍ଥଳେ ଘରେ ଥିବା ଗୃହିଣୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛି ସମ୍ବଲପୁର ମହାନଗର ନିଗମ । ଏସଏମସିର ନିଷ୍ପତ୍ତି କ୍ରମେ ଏଣିକି ଆବର୍ଜନା ବୁହା ଗାଡିର ଡ୍ରାଇଭର ଭାବେ ନିଯୁକ୍ତି ପାଇବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ । ସମ୍ବଲପୁର ସହରର ଗଳିକନ୍ଦି ବୁଲି ମହିଳା ବୋହିବେ ଆବର୍ଜନା । ଏଥିପାଇଁ SHGର ୨୨୦ ଜଣ ମହିଳାଙ୍କୁ ନିଯୁକ୍ତି ଦେବାକୁ ଟାର୍ଗଟେ ରଖିଛି SMC ।
ସମ୍ବଲପୁର ମହାନଗର ନିଗମର ୪୧ଟି ୱାର୍ଡରେ ଏସଏଚଜି ଗ୍ରୁପର ମହିଳା 'ସ୍ବଚ୍ଛ ସବାରୀ' ଆବର୍ଜନା ବୁହା ଗାଡି ଚଳାଇବେ ଏବଂ ଦୁଆର ଦୁଆର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ । ଏଥିପାଇଁ SMC ପକ୍ଷରୁ ସେମାନଙ୍କୁ ଟ୍ରେନିଂ ଦିଆଯାଉଛି । ମହାନଗର ନିଗମ ଅନ୍ତର୍ଗତ ଚାଁଆରପୁରରେ ଥିବା କମ୍ପୋଷ୍ଟ ସେଣ୍ଟର ରୋଡ ଅଞ୍ଚଳରେ ଏହି ଟ୍ରେନିଂ ଚାଲିଛି । ସକାଳ ୬ ଟାରୁ ୧୨ ଟା ଯାଏଁ ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନର ମହିଳାଙ୍କୁ ତାଲିମ ଦେଉଛନ୍ତି ।