ସମ୍ବଲପୁର: ଜିଲ୍ଲାରେ ବକେୟା କୃଷି ବୀମା ରାଶି ଦାବିରେ ଚାଷୀଙ୍କ ଅଭିନବ ଆନ୍ଦୋଳନ । 2018 ମସିହାର ଖରିପ ଋତୁର କୃଷି ବୀମା ରାଶି ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀର ମାନେଶ୍ବର ବ୍ଳକର ଡକରା ପଞ୍ଚାୟତର 500 ଚାଷୀ ଏହି ଘଟଣାର ପ୍ରତିବାଦ କରିଛନ୍ତି । ଏନେଇ ଚାଷୀମାନେ ଡକରା ଗାଁରୁ ପାଖାପାଖି 35 କିମିର ପଦଯାତ୍ରା କରି ମାନେଶ୍ବର ତହସିଲ ପର୍ଯ୍ୟନ୍ତ ଆସିଥିଲେ । ଆଉ ଆଜିଠୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ବୀର ବଜରଙ୍ଗବଲୀ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।
ସମ୍ବଲପୁର ମାନେଶ୍ବର ଡକରା ପଞ୍ଚାୟତର 800 ଚାଷୀ ଗତ 1 ବର୍ଷ ହେଲା ନିଜର ଫସଲ ବୀମା ହାସଲ କରିବାକୁ ସଂଘର୍ଷ କରି ଆସୁଛନ୍ତି । ଜିଲ୍ଲା ପ୍ରଶାସନଠୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାଇ ବିଭାଗୀୟ ଅଧିକାରୀଙ୍କ ଠାରେ ଗୁହାରି କରି ସାରିଥିଲେ ମଧ୍ୟ ଚାଷୀଙ୍କ ହକ୍ ର ଫସଲ ବୀମା ରାଶି ମିଳିନଥିବା ଚାଷୀ କହିଛନ୍ତି । ଶେଷରେ ନିରାଶ ହୋଇ ଚାଷୀ ଏହି ଆନ୍ଦୋଳନର ବାଟ ବାଛିଛନ୍ତି ।