ଚାଷଜମିକୁ ମାଡୁଛି ଶିଳ୍ପାନୁଷ୍ଠାନର ବିଷାକ୍ତ ପାଉଁଶ ପାଣି ସମ୍ବଲପୁର:ଶିଳ୍ପାନୁଷ୍ଠାନର ପ୍ରଦୂଷିତ ପାଉଁଶ ବର୍ଷା ପାଣିରେ ଚାଷ ଜମିକୁ ମାଡିଯାଇ ଫସଲ ନଷ୍ଟ ହୋଇ ଯାଇଥିବା ଅଭିଯୋଗ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ବାହାମ ପଞ୍ଚାୟତ କୁଡାପଡା ଓ ମଳିମୁଣ୍ଡା ଗାଁର ଲୋକେ ଏପରି ଅଭିଯୋଗ ଆଣିଛନ୍ତି । ଏହି ଗାଁର ୧୦ ଏକର ଅଧିକ ଧାନ ଚାଷ ଜମିରେ ବିଷାକ୍ତ ପାଉଁଶ ବର୍ଷା ପାଣିରେ ବହି ଆସି ମାଡି ଯାଇଥିବାର ଅଭିଯୋଗ ନେଇ ଲୋକେ ଜିଲ୍ଲାପାଳଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ବିଷାକ୍ତ ପାଣି ମାଡିଯିବା ଫଳରେ ପ୍ରାୟ 10 ଏକର ଧାନ ଚାଷ ନଷ୍ଟ ହୋଇଯିବାର ସମ୍ଭାବନା ଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଚାଷୀ । କାରଖାନା ପାଉଁଶରେ ପୋତି ହୋଇପଡ଼ିଛି ଚାଷ ଜମି । ଏହି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଜିଲ୍ଲାର ଜୁଯୁମୁରା ବ୍ଲକ ବାହାମ ପଞ୍ଚାୟତ ଅଞ୍ଚଳର ଚାଷୀ । ଏନେଇ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଗ୍ରାମବାସୀଙ୍କ ସହ ଆସି ସମ୍ବଲପୁର ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ- ପାଣି ଘେରରେ ପିପିଲି ପୋପରଙ୍ଗାବାସୀ; ଶହ ଶହ ଏକର ଚାଷଜମି ଜଳମଗ୍ନ
ନିକଟ ଅତୀତରେ କେତେକ ଲୋକ ହାଇବା ଗାଡ଼ିରେ ପ୍ରାୟ 200 ଟ୍ରିପ କାରଖାନାର ପାଉଁଶ ଆଣି ଏହି ଅଞ୍ଚଳରେ ବେଆଇନ ଭାବେ ଗଦା କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସ୍ଥାନୀୟ ଲୋକ ପୂର୍ବରୁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ କୌଣସି ଆଖି ଦୃଶିଆ ପଦକ୍ଷେପ ନନେବାରୁ ଗତ ଲଗାଣ ବର୍ଷାରେ ଗଦା ହୋଇଥିବା ପାଉଁଶ ବର୍ଷା ପାଣିରେ ବହିଯାଇ ସ୍ଥାନୀୟ ଅଞ୍ଚଳର ଚାଷ ଜମିରେ ମାଡି ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀଷ ।
ବିଷାକ୍ତ ପାଉଁଶ ଯୋଗୁଁ ପ୍ରାୟ ୧୦ ଏକର ଚାଷ ଜମିର ଫସଲ ଏବେ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏମିତି ହେଲେ ଏକର ପ୍ରତି ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ଲେଖାଏଁ କ୍ଷତି ହେବ ବୋଲି ଚାଷୀ କହିଛନ୍ତି । ଏନେଇ ସ୍ଥାନୀୟ ଲୋକେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମଧ୍ୟ ଅଭିଯୋଗ କରିବେ ବୋଲି କହିଥିଲେ । ତେବେ ଏହା ପୂର୍ଵରୁ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଏମିତି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଚାଷୀ କହିଛନ୍ତି ।
ଏନେଇ ଜିଲ୍ଲା ପ୍ରଶାସନ ଆଗରେ ପୁଣି ଅଭିଯୋଗ ହେବା ପରେ ଅତିରିକ୍ତ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହାର ତଦନ୍ତ ହେବ ଏନେଇ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଯୋଗାଯୋଗ କରାଯିବ ଓ କାହାର ଦୋଷ ତ୍ରୁଟି ବାହାରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଜିଲ୍ଲା ପ୍ରଶାସନ ଏହି ମାମଲାକୁ ଚାପି ଦେଉଛି ନାଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ।
ଇଟିଭି ଭାରତ, ସମ୍ବଲପୁର