ସମ୍ବଲପୁର:ସମସ୍ୟା ଭିତରେ ସମ୍ବଲପୁର ମାନେଶ୍ଵର ବ୍ଲକର ଦଣ୍ଡେଇପାଲି, କୁ୍ଦୋପାଲି ଗାଁର ଚାଷୀ l ଦୀର୍ଘ ୪୦ ବର୍ଷ ଧରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଚାଷୀ । ସେମାନେ ଜାଣି ନାହାନ୍ତି ଚାଷ କରୁଥିବା ଜମି ମେଜର ବନ୍ଦୋବସ୍ତରେ ଅଛି ନା ଚକବନ୍ଦୀ ବ୍ୟବସ୍ଥାରେ ଅଛି । 1982 ମସିହାରେ ଏହି ଦୁଇଟି ଗାଁରେ ମେଜର ବନ୍ଦୋବସ୍ତ ଉଠାଇ ଚକବନ୍ଦୀ ବନ୍ଦୋବସ୍ତ କରିଥିଲେ ସରକାର । ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଆଜି ପର୍ଯ୍ୟନ୍ତ ମେଜର ବନ୍ଦୋବସ୍ତ ଓ ଚକବନ୍ଦୀ ବନ୍ଦୋବସ୍ତ ଭିତରେ ଚାପି ହୋଇ ରହିଛନ୍ତି ଏହି ଗାଁର ଚାଷୀ । 1982 ମସିହାରୁ ଆଜି ପର୍ଯ୍ୟନ୍ତ ଏହି ଦୁଇଟି ଗାଁରେ ସମ୍ପୂର୍ଣ ଭାବରେ ଚକବନ୍ଦୀ ବ୍ୟବସ୍ଥା ଲାଗୁ ହୋଇ ପାରିନଥିବାରୁ ଚାଷୀମାନେ ଚିନ୍ତାରେ । ମୁଖ୍ୟତଃ ଖଜଣା ଦେବାଠୁ ଆରମ୍ଭ କରି ଧାନ ବିକ୍ରି କରିବା ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଚାଷୀ l
ଏହି ଗାଁରେ ଚକୋବନ୍ଦୀ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ପରେ ମଧ୍ୟ ଚାଷୀଙ୍କୁ ଦଖଲ ଦିଆଯାଇନଥିଲା । ଏନେଇ 1982 ମସିହାରୁ 2019/20 ପର୍ଯ୍ୟନ୍ତ ସ୍ଥାନୀୟ ଚାଷୀମାନେ ମାଲଗୁଜାରୀ ଓ ଜଳକର ମେଜର ବନ୍ଦୋବସ୍ତ ଅନୁସାରେ ଦେଇ ଆସୁଥିଲେ l ତେବେ 2019/20 ମସିହାରେ ଏହି ଦୁଇଟି ଗାଁର ଜମି ଗୁଡିକରେ ଚକବନ୍ଦୀ ବନ୍ଦୋବସ୍ତ କଡାକଡି ଭାବରେ ଲାଗୁ କରାଯିବ ବୋଲି ରାଜ୍ୟ ସରକାର ଗେଜେଟ ନୋଟିଫିକେସନ ଜାରି କରିଥିଲେ । ଏଥିପାଇଁ ଏହି ନିର୍ଦ୍ଦେଶର କଡାକଡି ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଓ ଆରଆଇ ମାନଙ୍କୁ କଡାକଡି ନିର୍ଦ୍ଦେଶ ଦିଆଗଲା । ଏହାଫଳରେ ସରଳ ଓ ଗରିବ ଚାଷୀମାନେ ଚକବନ୍ଦୀ ବ୍ୟବସ୍ଥା ନେଇ ସଚେତନ ନ ଥିବାରୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବଡବଡ଼ିଆ ଓ ଧନୀ ଚାଷୀମାନେ ଅଧିକ ଲାଭବାନ ହୋଇଗଲେ ବୋଲି ସ୍ଥାନୀୟ ଅଞ୍ଚଳର 117 ଚାଷୀ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l