ସମ୍ବଲପୁର: କ୍ଷେତରେ ଝୁଲୁଛି ସୁନାର ଫସଲ । ହେଲେ ଏହାକୁ ଅମଳ କରି ଖଳାକୁ ଆଣିବା ଅସମ୍ଭବ । କାରଣ ନା ଅଛନ୍ତି ଶ୍ରମିକ ନା ଅଛି ହାର୍ଭେଷ୍ଟିଙ୍ଗ ମେସିନ । ସେପଟେ ଜମିରେ ପଡି ଝଡବର୍ଷା ଓ କୁଆପଥର ମାଡ ଖାଉଛି ଫସଲ । ଧାନ କଟା ଜାରିଥିବାବେଳେ ହାତରେ କମ ସମୟ । ଖଳାକୁ କିପରି ଆଣିବ ଘାରିଛି ଚିନ୍ତା ।
ଏହା ହେଉଛି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଜଳସେଚିତ ଅଞ୍ଚଳର ଚାଷୀଙ୍କ କାହାଣୀ । ପ୍ରତିବର୍ଷ ବାହାରୁ ଅମଳ କରିବାକୁ ଆସନ୍ତି ଶ୍ରମିକ । ଏଥର କିନ୍ତୁ ସଂକ୍ରମଣ ଭୟରେ ଅନୁମତି ଦେଉନାହାନ୍ତି ଗାଁ ସରପଞ୍ଚ । ସେହିପରି ହାର୍ଭେଷ୍ଟିଙ୍ଗ ମେସିନ ଚଲାଇବାକୁ ବି ଆସିପାରୁନାହାନ୍ତି ବାହାର ଡ୍ରାଇଭର । ଲକଡାଉନ ଓ ସଂକ୍ରମଣ ଡରରେ ସେମାନଙ୍କ ଆସିବା ସମ୍ଭବ ହୋଇନାହିଁ । ଫଳରେ ସ୍ଥାନୀୟ ଶ୍ରମିକ ଓ ଚାଷୀଙ୍କ ଉପରେ ପଡୁଛି ଅଧିକ ପରିଶ୍ରମ । ଶ୍ରମିକ ନାହାନ୍ତି କି ହାର୍ଭେଷ୍ଟିଙ୍ଗ ମେସିନ ନାହିଁ । ନିଜେ ଏକା ସବୁ କାମ କରୁଛନ୍ତି । ତେବେ ଅମଳ କରିପାରୁଛନ୍ତି କିନ୍ତୁ ମେସିନ ଚଲାଇ ଜାଣିନାହାନ୍ତି । ଯାହା ଏବେ ମୁଖ୍ୟ ସମସ୍ୟା ଭାବେ ଛିଡା ହୋଇଛି ।