ସମ୍ବଲପୁର:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଚେରୁଆପଡା ଝୁପଡି ପଡ଼ାବାସୀ । ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ଅଞ୍ଚଳର ଚେରୁଆପଡ଼ା ଝୁପଡ଼ିପଡ଼ା ଅଞ୍ଚଳରେ ଗରିବ ଜମିହୀନ ପ୍ରାୟ 30ରୁ ଊର୍ଦ୍ଧ୍ବ ପରିବାର ରହି ଆସୁଥିଲେ । ଗତ ଜୁଲାଇ 1 ତାରିଖରେ ରେଳବାଇ ପକ୍ଷରୁ ଏହାର ଉନ୍ନତିକରଣ କାର୍ଯ୍ୟ ପାଇଁ ଏହି ସ୍ଥାନର ଲୋକଙ୍କ ଘରଗୁଡିକୁ ଉଚ୍ଛେଦ କରି ଦିଆଯାଇଥିଲା ।
ତେବେ ଉଚ୍ଛେଦ କରାଯିବାର 3 ମାସ ପୂର୍ବରୁ ରେଳବାଇ ପକ୍ଷରୁ ଏହି ଲୋକମାନଙ୍କୁ ନୋଟିସ ଦିଆଯାଇଥିବା ବେଳେ ଏମାନେ ଜିଲ୍ଲା ପ୍ରଶାସନ ଆଗରେ ନିଜର ଥଇଥାନ ପାଇଁ ଗୁହାରୀ କରିଥିଲେ । ହେଲେ କୌଣସି ବ୍ୟବସ୍ଥା କରାନଯିବାରୁ ଏହି ବିସ୍ଥାପିତ ଲୋକେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଏହି ଲୋକମାନେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।
ମୂଳ ନିବାସୀ ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ ଗରଡ଼ିଆ କହିଛନ୍ତି, ‘‘ଥଇଥାନ ନହେବା ଯାଏଁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ଚେରୁଆପଡ଼ା ଝୁପଡ଼ିପଡା ଅଞ୍ଚଳର ଏହି ଭୂମିହୀନ ପରିବାର । ଗତ ଜୁଲାଇ 1 ତାରିଖରେ ରେଳବାଇ ଦ୍ୱାରା ବିସ୍ଥାପିତ ହୋଇଥିବା ଏହି ପରିବାରର ସଦସ୍ୟମାନେ ରାସ୍ତା କଡ଼ରେ ଦିନ କାଟୁଛନ୍ତି । ରେଳବାଇର ଜମିରେ ଏମାନେ ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ । ତେଣୁ ଉଚ୍ଛେଦ କରାଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ କାହିଁକି ଜାଗା ମିଶନ ଜରିଆରେ ଥଇଥାନ କଲା ନାହିଁ । ଏବେ ଜିଲ୍ଲା ପ୍ରଶାସନ ଏମାନଙ୍କୁ ଥଇଥାନ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।’’