ସମ୍ବଲପୁର:ଆଜି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଜୁହା ବା ବକରି ଇଦ୍ । ଆଜିର ଦିନକୁ ମୁସଲମାନ ସମ୍ପ୍ରଦାୟର ଲୋକେ ବଳିଦାନ ଦିବସ ଭାବେ ପାଳନ କରନ୍ତି । ସମଗ୍ର ବିଶ୍ବରେ ଆଜି ବକରି ଇଦ୍ ପାଳିତ ହେଉଥିବା ବେଳେ ଏଥିରୁ ବାଦ୍ ପଡିନି ସମ୍ବଲପୁର ସହର । ସହରର ବିଭିନ୍ନ ମସଜିଦ ଓ ଇଦଗାହାରେ ସକାଳୁ ସକାଳୁ ସାମୁହିକ ନମାଜ ପାଠ କରାଯିବା ସହ ବକରି ଇଦ୍ ପାଳନ ହୋଇଛି l
ସମ୍ବଲପୁର ସହରରେ ଗତ ଏପ୍ରିଲ ମାସରେ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ହିଂସା ସୃଷ୍ଟି ହୋଇଥିବାରୁ ଚଳିତ ଇଦ୍ କିପରି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଥିଲା । ଆଜି ଜିଲ୍ଲା ପୋଲିସ ପ୍ରଶାସନର କଡା ସୁରକ୍ଷା ବଳୟ ଭିତରେ ଇଦ-ଉଲ-ଜୁହା ପାଳନ ହୋଇଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗକୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ଆଜି ସକାଳ ପ୍ରାୟ ୬ଟାରୁ ସମ୍ବଲପୁରର ବିଭିନ୍ନ ମସଜିଦ ଓ ଇଦଗାହାରେ ମୁସଲମାନ ସମ୍ପ୍ରଦାୟର ଲୋକେ ପହଞ୍ଚି ସାମୁହିକ ନମାଜ ପାଠ କରି ସର୍ବଶକ୍ତିମାନ ଈଶ୍ବରଙ୍କ ପ୍ରାର୍ଥନା କରିଥିଲେ । ଏହାପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭକାମନା ଜଣାଇଥିଲେ l ଏହାସହିତ ପରମ୍ପରା ଅନୁସାରେ ଗରିବ ଲୋକଙ୍କୁ କିଛି ଦାନ କରିଥିଲେ । ପରେ ଘରେ ପ୍ରସ୍ତୁତ ସିମେଇ ସହ ବିଭିନ୍ନ ପ୍ରକାରର ମିଷ୍ଟାନ ଖାଇ ଇଦ୍ ପାଳନର ମଜା ନେଇଥିଲେ । ଆଜି ପ୍ରତିଟି ମୁସଲମାନ ପରିବାରରେ ବିଭିନ୍ନ ପ୍ରକାରର ଆମିଷ ବ୍ୟଞ୍ଜନ ତିଆରି ହୋଇଥାଏ ।