ଓଡିଶା

odisha

ETV Bharat / state

ଦୁର୍ଗାପୂଜା ଭସାଣି ଉପରେ ପ୍ରଶାସନର ରୋକ: ଅନୁମତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂଜା କମିଟି - ସମ୍ବଲପୁରରେ ଭସାଣି ଶୋଭାଯାତ୍ରା

ସମ୍ବଲପୁରରେ ଭସାଣି ଶୋଭାଯାତ୍ରା ନେଇ ଜିଲ୍ଲା ପୋଲିସ ପ୍ରଶାସନର ରୋକ । ଅନୁମତି ପାଇଁ ଜିଲ୍ଲା ପ୍ରଶାସନକୁ ଭେଟି ଆଲୋଚନା କରିଛି ଦୁର୍ଗାପୂଜା କମିଟି । ଅଧିକ ପଢନ୍ତୁ

durga puja immersion processions banned
durga puja immersion processions banned

By ETV Bharat Odisha Team

Published : Oct 5, 2023, 8:24 AM IST

Updated : Oct 5, 2023, 10:36 AM IST

ଦୁର୍ଗାପୂଜା ଭସାଣି ଉପରେ ପ୍ରଶାସନର ରୋକ

ସମ୍ବଲପୁର : ସମ୍ବଲପୁରରେ ହେବନି ଭସାଣି ଶୋଭାଯାତ୍ରା । ମହାନଗର ନିଗମ ଅଞ୍ଚଳରେ ଜିଲ୍ଲା ପୋଲିସ ପ୍ରଶାସନ ଏହିଭଳି ଧାର୍ମିକ ଶୋଭାଯାତ୍ରା ଉପରେ ବର୍ତ୍ତମାନ ପରିସ୍ଥିତିରେ ରୋକ ଲଗାଇଛି l ଗଣେଶ ପୂଜା, ଦୁର୍ଗା ପୂଜା, ବିଶ୍ଵକର୍ମା ପୂଜା ହେବ କିନ୍ତୁ ହେବନି ଭସାଣି ଶୋଭାଯାତ୍ରା l ଏଭଳି ନିଷ୍ପତି ନେଇଛି ସମ୍ବଲପୁର ପୋଲିସ ପ୍ରଶାସନ l ତେବେ ଜିଲ୍ଲା ପୋଲିସ ବିଭାଗର ଏଭଳି ନିଷ୍ପତି ପରେ ଏନେଇ ଚିନ୍ତାରେ ମହାନଗର ନିଗମ ଅଞ୍ଚଳର ଦୁର୍ଗାପୂଜା କମିଟି । ତେଣୁ ଦୁର୍ଗାପୂଜା କମିଟି ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି l

ତେବେ ସମ୍ବଲପୁରରେ ଦୁର୍ଗାପୂଜାରେ ଭସାଣି ଶୋଭଯାତ୍ରା ଅତି ଯାକଯମକରେ ହୋଇଥାଏ l ହେଲେ ଏଥର ଭସାଣି ଶୋଭାଯାତ୍ରା ହୋଇ ପାରିବ ନାହିଁ ବୋଲି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ରୋକ ଲଗାଯାଇଛି l ଏଭଳି ସ୍ଥିତିରେ ଗତକାଲି ସମ୍ବଲପୁର ମହାନଗର ନିଗମର ସମସ୍ତ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଏକାଠି ହୋଇ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି । ଏନେଇ ସମ୍ବଲପୁର ଜିଲ୍ଲାପାଳ ନିଜେ କୌଣସି ସ୍ପଷ୍ଟ ମତ ଦେଇ ନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ଗଣେଶ ପୂଜା ଦୁର୍ଗାପୂଜା ଭସାଣି ଉପରେ ଲାଗିଲା ରୋକ, ନିଷ୍ପତ୍ତିକୁ ବିରୋଧ

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ 12 ତାରିଖରେ ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ପଥର ମାଡ଼ ହୋଇଥିଲା l ଏହି ଘଟଣାରେ ଧନୁପାଲି ଥାନା ଅଧିକାରୀଙ୍କ ସହ ବହୁ ପୋଲିସ ଓ ଶୋଭାଯାତ୍ରାରେ ସାମିଲ ଯୁବକ ଗୁରୁତର ଆହତ ହୋଇଥିଲେ l ଏହାପରେ ଏପ୍ରିଲ 14 ତାରିଖରେ ଏହାର ପ୍ରତିକ୍ରିୟା ସ୍ୱରୂପ ହିଂସାକାଣ୍ଡ ହୋଇଥିଲା ଓ ସେହିଦିନ ଜଣେ ଆଦିବାସୀ ଯୁବକଙ୍କ ହତ୍ୟା ମଧ୍ୟ ହୋଇଥିଲା । ସେହିପରି ଜଣେ ହରିଜନ ଯୁବକଙ୍କ ହାତ ଆଙ୍ଗୁଠି କଟି ଯାଇ ଗୁରୁତର ଆହତ ହୋଇଥିଲେ l ଏହି ଘଟଣାରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ସମ୍ପୃକ୍ତ ଥିବା ସେତେବେଳେ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ଖଣ୍ଡନ କରିଥିଲା l ତେବେ ଏହି ଘଟଣାକୁ ନେଇ ଜାତୀୟ ST ଓ SC କମିଶନର ଟିମ୍‌ ସମ୍ବଲପୁର ପରିଦର୍ଶନ କରି ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କୁ ଜବାବ ତଳବ କରିଥିଲା l ଏହିଭଳି ସ୍ଥିତିରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ କୌଣସି ବି ଧାର୍ମିକ ଶୋଭାଯାତ୍ରାକୁ ଅନୁମତି ଦେଇ ଅଡୁଆରେ ପଡ଼ିବାକୁ ଚାହୁଁ ନଥିବା ଚର୍ଚ୍ଚା ହେଉଛି l

ଇଟିଭି ଭାରତ, ସମ୍ବଲପୁର

Last Updated : Oct 5, 2023, 10:36 AM IST

ABOUT THE AUTHOR

...view details