ସମ୍ବଲପୁର:ସାରା ରାଜ୍ୟରେ ଡ୍ରାଇଭରଙ୍କ ୧୦ ଦଫା ଦାବି ନେଇ ୩ ଦିନ ଧରି ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଶୁକ୍ରବାର ଅପରାହ୍ନରେ ଆନ୍ଦୋଳନକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ଡ୍ରାଇଭର ସଂଘର ସମ୍ବଲପୁର ଶାଖା ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଶାସନ ଥାନାରେ ଡ୍ରାଇଭର ସଂଘ ଜିଲ୍ଲା ସଭାପତି ଏନେଇ ସୂଚନା ଦେଇଛନ୍ତି । ରାଜ୍ୟ ନେତୃତ୍ୱର ନିଷ୍ପତ୍ତିକ୍ରମେ ଏହି ସୂଚନା ଦିଆଯାଇଥିବା କୁହାଯାଇଛି । ଡ୍ରାଇଭରମାନେ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ରାଜ୍ୟରେ ପରିବହନ ବ୍ୟବସ୍ଥା କ୍ରମଶଃ ସ୍ବାଭାବିକ ହେଉଛି ।
ଗତ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସମ୍ବଲପୁର ଶାଖା ପକ୍ଷରୁ ଜିଲ୍ଲାରେ ଆନ୍ଦୋଳନ ଜାରି ରହିଥିଲା । ଏହାର ପ୍ରଭାବରେ ସମ୍ବଲପୁର ସହରର ଅଇଁଠାପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଶହ ଶହ ମାଲବାହୀ ଟ୍ରକ ଅଟକି ରହିଥିଲା । ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଜିଲ୍ଲା ଡ୍ରାଇଭର ସଂଘର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲା । ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବତୁଲା ଗଙ୍ଗାଧରଙ୍କ ଉପସ୍ଥିତିରେ ଡ୍ରାଇଭର ସଂଘର ସଦସ୍ୟମାନେ ଆଲୋଚନା କରିଥିଲେ । ଏହି ବୈଠକରେ ସଂଘର ସଦସ୍ୟମାନଙ୍କୁ ଅନ୍ତତଃ ଅତ୍ୟାବଶ୍ୟକ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ଟ୍ରକ ଗୁଡିକୁ ଛାଡି ଦେବାକୁ ଅନୁରୋଧ କରିଥିଲା ଜିଲ୍ଲା ପ୍ରଶାସନ । ଏଥିରେ ଡ୍ରାଇଭର ସଂଘ ରାଜି ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ ।
ଗତ ଗୁରୁବାର ରାତିରେ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ସମ୍ବଲପୁର ଅଇଁଠାପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଅଟକ ଥିବା ଟ୍ରକ ଗୁଡିକୁ ଛାଡିଥିଲା । ଏହାପରେ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟମାନେ ରାତି ତମାମ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶୁକ୍ରବାର ସକାଳୁ ଜୟନ୍ତପୁର ଛକରେ ଜିଲ୍ଲାର ୯ଗୋଟି ବ୍ଲକର ଡ୍ରାଇଭର ସଂଘର ସଦସ୍ୟ ଶାନ୍ତିପୂର୍ଣ୍ଣ ଭାବରେ ବସିଥିବା ବେଳେ ସେଠାରୁ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଶାସନ ଥାନା ସମ୍ମୁଖରେ ଶହ ଶହ ଡ୍ରାଇଭର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଥାନା ଘେରାଉ କରିଥିଲେ ।