ସମ୍ବଲପୁର: ଶୀତଳ ଷଷ୍ଠୀ ଅବସରରେସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବିବାହ l ଆଜି ସକାଳୁ ସମ୍ବଲପୁରର ନନ୍ଦପଡା, ମୁଦୀପଡା, ଝାଡୁଆପଡା ସମେତ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ଦେବ ବିବାହ ବା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଶୁଭ ପରିଣୟ ଅନୁଷ୍ଠିତ ହୋଇଯାଇଛି l ଆଜି କନ୍ୟା ପିତାମାତା ଦେବ ଦମ୍ପତିଙ୍କୁ ବିଦାୟ ଦେବାକୁ ଥିବାବେଳେ ବିଳମ୍ବିତ ରାତି 11ଟାରୁ ମନ୍ଦିରରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ । ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିବ ଓ ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ l
ଆଜି ଭୋର 5ଟାରୁ ଦେବ ଦମ୍ପତିଙ୍କ ବିବାହ ଆରମ୍ଭ ହୋଇ ସକାଳ 9ଟା ମଧ୍ୟରେ ସମସ୍ତ ଯାତ୍ରା କମିଟିର ଦେବ ବିବାହ ସମ୍ପନ୍ନ ହୋଇଛି l ଗତ ରାତି ପ୍ରାୟ 11ଟା ସମୟରେ ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡୁଆ ପଡାର ଲୋକନାଥ ବାବା, ମୁଦୀପଡାର ଜାଗେଶ୍ବର ବାବା, ବଡ଼ ବଜାରର ଶୀତଳେଶ୍ବର ବାବା, ଠାକୁରପଡାର ଗୁପ୍ତେଶ୍ବର ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟିର ମହାଆଳତି ପରେ ବରଯାତ୍ରୀ ଶୋଭାଯାତ୍ରା ବାହାରିଥିଲା l ମହାଆଳତିରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବାତୁଳା ଗଙ୍ଗାଧରଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଏହାପରେ ରଙ୍ଗାରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ ହୋଇ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା l ଭୋଳା ବାବାଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦେବ, ଦାନବ, ମାନବ, କିନ୍ନର ।