ସମ୍ବଲପୁର: ଜିଲ୍ଲାର କୋଭିଡ ପରିଚାଳନା ନେଇ ଶୁକ୍ରବାର ସମ୍ବଲପୁର ଜିଲ୍ଲାପାଳ ଗଣମାଧ୍ୟମ ସମ୍ମୁଖରେ ବିସ୍ତୃତ ତଥ୍ୟ ରଖିଛନ୍ତି । ସମ୍ବଲପୁରରେ କୋଭିଡ ପରିଚାଳନା ଭଲ ଭାବେ ଚାଲିଛି । ବର୍ତ୍ତମାନ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି । ଏପରିକି ଭୂତାଣୁର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ମତ ନେଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହିପରି ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସୁସ୍ଥ ହାର 78.06 ପ୍ରତିଶତ ରହିଛି । ଏହା ସହ ହୋମ ଆଇସୋଲେସନରେ ଥିବା ପ୍ରତ୍ୟେକ ସଂକ୍ରମିତଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜରିଆରେ ଦୈନିକ ଥରେ ଯୋଗାଯୋଗ କରାଯାଉଛି । ଅନେକ ସଂକ୍ରମିତଙ୍କ ସହ ଭିସି ଜରିଆରେ ଯୋଗାଯୋଗ କରାଯାଉଛି । ଜିଲ୍ଲାର 170ଟି ଟିମ ଘରକୁ ଘର ଯାଇ ସ୍ୱାବ ନମୁନା ସଂଗ୍ରହ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 14000 ହଜାର ଲୋକଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇସାରିଛି । ଏହା ସହ 48 ଘଣ୍ଟା ଭିତରେ ପରୀକ୍ଷା କରାଯାଉଥିବା ଵ୍ୟକ୍ତିଙ୍କୁ ତାଙ୍କର ରିପୋର୍ଟ ବିଷୟରେ ଅବଗତ କରାଯାଉଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 90 ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି ।