ସମ୍ବଲପୁର: ପ୍ରତି ୩ ମାସରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟାରୀ କମିଟିର(Vigilance Monitoring Committee) ବୈଠକ ହେବାର ନିୟମ ରହିଥିଲେ ମଧ୍ୟ ସମ୍ବଲପୁରରେ ଦୁଇ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକ ୨ ବର୍ଷ ପରେ ଅନୁଷ୍ଠିତ ହୋଇଛି । ତେବେ କୋଭିଡ କଟକଣା ଯୋଗୁଁ ବୈଠକ ହୋଇପାରୁ ନଥିଲା ବୋଲି ସ୍ପଷ୍ଟୀକରଣ ଦିଆଯାଇଛି ।
କମିଟିର ବୈଠକ ନହେଉଥିବାରୁ ଅନୁସୂଚିତ ଜାତି ଓ ଜନଜାତି(ST/SC) ଲୋକଙ୍କ ବିରୁଦ୍ଧରେ ହେଉଥିବା ଜାତିଆଣ ମାମଲାର ତଦନ୍ତ ସବୁ ଦୀର୍ଘ ଦିନ ଧରି ଫୈସଲା ନହୋଇ ପଡି ରହିଛି । ଫଳରେ ଜିଲ୍ଲାରେ ପୀଡିତ ଦଳିତ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
ବିଭିନ୍ନ ସମୟରେ ST/DC ଲୋକଙ୍କ ବିରୁଦ୍ଧରେ ହେଉଥିବା ଜାତିଆଣ ମାମଲାର ତଦନ୍ତ ଠିକଭାବେ ଚାଲିଛି ନା ନାହିଁ ତାହା ଉପରେ ନଜର ରଖିବାକୁ ଜିଲ୍ଲାରେ 3 ମାସରେ ଥରେ ଭିଜିଲାନ୍ସ ମନିଟାରୀ କମିଟିର ବୈଠକ ହେବା କଥା । ଏହି କମିଟି ଏହିଭଳି ମାମଲା ଗୁଡ଼ିକର ତଦନ୍ତ ପ୍ରକ୍ରିୟା ଠିକ ଭାବେ ଚାଲିଛି ନା ନାହିଁ ତାହା ଉପରେ ନଜର ରଖିବା ସହ ତଦନ୍ତ ପ୍ରକ୍ରିୟା ତ୍ବରାନ୍ନିତ ଓ ପୀଡିତକୁ ନ୍ୟାୟ ପାଇଁ ବ୍ୟବସ୍ଥା କରିଥାଏ ।