ଥଇଥାନ ଦାବିରେ 18 ଦିନଧରୀ ଧାରଣରତ ବିସ୍ଥାପିତ ପରିବାର ସମ୍ବଲପୁର: 18 ଦିନରେ ପହଞ୍ଚିଲା ବିସ୍ଥାପିତ ପରିବାରଙ୍କ ଆମରଣ ଅନଶନ । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଝୁପଡିପଡାର ବିସ୍ଥାପିତ ମହିଳା । ଗତ 1 ତାରିଖରୁ ତାଙ୍କ ଘର ଭାଙ୍ଗି ବିସ୍ଥାପିତ କରାଯାଇଥିବା ବେଳେ ସେମାନଙ୍କୁ କୌଣସି ଏକ ସ୍ଥାନରେ ଜାଗା ଦେଇ ଥଇଥାନ କରାଯାଉ ବୋଲି ସେମାନ ଦାବି କରିଛନ୍ତି । ଏଥିପାଇଁ ଗତ 18 ଦିନ ହେଲା ଏହି ବିସ୍ଥାପିତ ଜମିହରା ଲୋକମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣାରେ ବସିଛନ୍ତି ।
ଛୋଟ ଶିଶୁଠୁ ଆରମ୍ଭ କରି ମହିଳା, ବୃଦ୍ଧ ବୃଦ୍ଧା ସମସ୍ତେ ଫ୍ଲାଇ ଓଭର ତଳେ ବିପରୀତ ପରିସ୍ଥିତିରେ ଦିନ ରାତି ସେଠାରେ ପଡି ରହିଛନ୍ତି । ଥଇଥାନ ନେଇ ଜିଲ୍ଲା ପ୍ରଶାସନ କୌଣସି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇନଥିବା ଅଭିଯୋଗ କରି ଗତ 3 ଦିନ ହେଲା ଏହି ବିସ୍ଥାପିତ ପରିବାରର ମହିଳାମାନେ ଆମରଣ ଅନଶନରେ ବସିଛନ୍ତି ।
ଏହି ଆନ୍ଦୋଳନକୁ ମୂଳ ନିବାସୀ ସେନା ସମର୍ଥନ କରିଛ । ମୂଳ ନିବାସୀ ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ ଗରଡ଼ିଆ କହିଛନ୍ତି, "ବିସ୍ଥପିତ ପୂର୍ବରୁ ଏହି ଲୋକଙ୍କ ଥଇଥାନର ବ୍ୟବସ୍ଥା କରିବାର ଥିଲା । ଗୋଟିଏ ପଟେ ରାଜ୍ୟ ସରକାର ଜାଗା ମିଶନ ଜରିଆରେ ଗରିବ ଭୂମିହୀନ ଲୋକଙ୍କୁ ଥଇଥାନ ପାଇଁ ବଡ଼ବଡ଼ ହୋର୍ଡିଂ ଲଗାଇ ଵିଜ୍ଞାପନ କରୁଛନ୍ତି । କିନ୍ତୁ ଏହି ବିସ୍ଥାପିତ ଲୋକଙ୍କୁ କାହିଁକି ଥଇଥାନ କରାଯାଉ ନାହିଁ । ଏହି ସମସ୍ୟା ନେଇ ବିଗତ କିଛି ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରୁ ନାହିଁ ।
ଅଧିକ ପଢ଼ନ୍ତୁ: କ୍ଷତିପୂରଣ, ଥଇଥାନ ଓ ନିଯୁକ୍ତ ଦାବି : ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ
ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବିସ୍ଥାପିତ ଲୋକଙ୍କୁ ଥଇଥାନ ପାଇଁ ସିଟି ଷ୍ଟେସନ ପାଖରେ ଏକ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ସେଠାରେ ଖାଲଖମା ଥିବାରୁ ଏହି ଲୋକମାନେ ସେଠାକୁ ଯିବାକୁ ପସନ୍ଦ କରୁ ନାହାଁନ୍ତି । ଫଳରେ ସମସ୍ୟାର ସମାଧାନ ହୋଇ ପାରୁନି । ଅନ୍ୟପଟେ ମୂଳ ନିବାସୀ ସେନା ପକ୍ଷରୁ କୁହାଯାଇଛି ଯେ ବିସ୍ଥାପିତ ହୋଇଥିବା ସବୁ ପରିବାର ଦିନ ମଜୁରିଆ ହୋଇଥିବା ବେଳେ ସେହି ସ୍ଥାନରେ ମାଟି ପକାଇ ସମତୁଲ କରିବାକୁ ଲକ୍ଷଲକ୍ଷ ଟଙ୍କା କେଉଁଠୁ ଆଣିବେ । ତେଣୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ସ୍ଥାନକୁ ମାଟି ପକାଇ ସମତୁଲ କରି ଦେବାକୁ ଦାବି ହୋଇଛି ।
ଇଟିଭି ଭାରତ, ସମ୍ବଲପୁର