ସମ୍ବଲପୁର:ଏକ ବିସ୍ଥାପିତ ଦିବ୍ୟାଙ୍ଗ ପରିବାରକୁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିର ନିକଟରେ ରହୁଥିବା ଏକ ଦିବ୍ୟାଙ୍ଗ ପୂଜକଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ହୋଇଛି । ପୂଜକ ଜଣକ ନିଜେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ଉଭୟ ପୁଅ ଓ ଝିଅ ମଧ୍ୟ ଦିବ୍ୟାଙ୍ଗ । ସମଲେଇ ଯୋଜନାରେ ଏହି ପରିବାର ବିସ୍ଥାପିତ ହୋଇଥିବା ବେଳେ ତାଙ୍କୁ ଯେଉଁ ସ୍ଥାନଟି ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ଅଧିକାରୀ ପ୍ରତିଶ୍ରୃତି ଦେଇଥିଲେ ସେହି ଜାଗା ଦେଇନଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା
ପ୍ରତିଶ୍ରୁତି ଦେଇ ତାହାକୁ ପୂରଣ କରିନଥିବାରୁ ଦିବ୍ୟାଙ୍ଗ ପୂଜକଙ୍କ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପ୍ରତିଶ୍ରୁତି ମୁତାବକ ଜାଗା ଦିଆନଗଲେ ସପରିବାର ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ସମଲେଇ ଯୋଜନାର ବିସ୍ଥାପିତ ଦିବ୍ୟାଙ୍ଗ ପୂଜକ ପରିବାର ସହ ଜିଲ୍ଲା ପ୍ରଶାସନ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ପୂଜକ ସାରଙ୍ଗ ରାୟ । ସମଲେଇ ଯୋଜନାରେ ବିସ୍ଥାପିତ ହୋଇ ସମ୍ବଲପୁରର ସମଲେଇ ମନ୍ଦିରର ଦିବ୍ୟାଙ୍ଗ ପୂଜକ ସାରଙ୍ଗ ରାୟଙ୍କ ପରିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ପାଇଥିଲେ । ଏହି ପରିବାର ଜମି ଚିହ୍ନଟ କରି ଭୂମିପୂଜା ମଧ୍ୟ କରି ସାରିଥିଲେ । ଏବେ କିନ୍ତୁ ଘର ନିର୍ମାଣ କରିବା ପାଇଁ ଯିବା ପରେ ସେହି ଜମିକୁ ଅନ୍ୟ ଏକ ପରିବାର ମାଡି ବସିଥିବା ଅଭିଯୋଗ ହୋଇଛି ।