ଝାରସୁଗୁଡ଼ା:ଆସନ୍ତା 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ । ସରଗରମ ନିର୍ବାଚନ ମୈଦାନ । ନିର୍ବାଚନୀ ମୈଦାନରେ ପ୍ରଚାର ପାଇଁ ଓହ୍ଲେଇଛନ୍ତି ବିଭିନ୍ନ ଦଳର ହେବିୱେଟ । ବିଜେଡି ସୁପ୍ରିମୋ ପ୍ରଚାର ପାଇଁ ଓହ୍ଲାଇଥିବା ବେଳେ, କୋଲାବିରା ବଡ଼ବାହାଲଠାରେ ବିଜେପି ପ୍ରାର୍ଥୀ ଟଙ୍କଧର ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କହିବା ସହ ପରିବର୍ତ୍ତନର ଆରମ୍ଭ ଝାରସୁଗୁଡାରୁ କରାଯାଉ ବୋଲି ଆହ୍ବାନ ଦେଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ରଖିବା ପୂର୍ବରୁ ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଓ ଝିଅ ଦିପାଲୀଙ୍କୁ ନିଜର ସମବେଦନା ଜଣାଇ ଥିଲେ । ଏହାପରେ ସେ ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ରାଜ୍ୟ ସରକାର ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ବର୍ତ୍ତମାନ ରାଜ୍ୟରେ ସ୍ଥାଣୁ, ଅପାରଗ ଓ ଲୋକବିରୋଧୀ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ହାତରେ କିଛି ନିୟନ୍ତ୍ରଣ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦିନ ଦ୍ବିପ୍ରହରରେ ହତ୍ୟା, ଝାରସୁଗୁଡାର ଜଣେ ବ୍ୟବସାୟୀଙ୍କ ପୁଅର ଅପହରଣ ପରେ ହତ୍ୟା ରାଜ୍ୟର ଆଇନ ବ୍ୟବସ୍ଥାର କରୁଣ ଚିତ୍ରକୁ ଦର୍ଶାଉଛି ।"