ସମ୍ବଲପୁର:ଆଜି(ଶନିବାର) ପବିତ୍ର ମହାଳୟା । ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା' ସମଲେଶ୍ବରୀ । ବର୍ଷ ତମାମ ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମା' ସମଲେଶ୍ୱରୀ ଆଜି ପବିତ୍ର ମହାଳୟାରେ ଗଙ୍ଗା ବେଶ ଧାରଣ କରିଛନ୍ତି l ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମାଆଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଆସିଛି l ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି l
ଏହା ମଧ୍ୟ ପଢନ୍ତୁ-ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ସମଲେଶ୍ବରୀ, ଭକ୍ତଙ୍କ ପାଇଁ ଆସିଲା ଗାଇଡଲାଇନ
ମା'ଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଇଥାଏ l ତେବେ ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ଆଜି ସକାଳୁ ସନ୍ଧ୍ୟା ଯାଏଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିବ l ଆଜି ଭୋରୁ ନିୟମିତ ସମୟର ଏକ ଘଣ୍ଟା ପୂର୍ବରୁ ମା'ଙ୍କର ପହୁଡ ଖୋଲାଯାଇ ସ୍ନାନ କରାଯିବା ପରେ ଧଳା ପାଟ ବସ୍ତ୍ର ପରିଧାନ କରାଯାଇଥିଲା । ଧବଳମୁଖୀ ବେଶ ପାଇଁ ମା'ଙ୍କୁ ସଜ୍ଜିତ କରିଥିଲେ ମନ୍ଦିରର ସମସ୍ତ ପୂଜକ l ତେବେ ଆଜି ମାଆଙ୍କୁ କୌଣସି ଅଳଙ୍କାର ପିନ୍ଧା ଯାଇନଥାଏ l ଏଥିସହ ମାଆଙ୍କ ନିକଟରେ ଆଜି ଏକ ସ୍ବତନ୍ତ୍ର ଭୋଗ ମଧ୍ୟ ଲଗାଯାଇଥାଏ l ଯାହା ବର୍ଷର ଅନ୍ୟ କୌଣସି ଦିନରେ ଅପର୍ଣ କରାଯାଏ ନାହିଁ l