ସମ୍ବଲପୁର: ଜଳପ୍ରିୟ ମହାଦେବ । ମହାଦେବଙ୍କୁ ପ୍ରସନ୍ନ ମନୋବାଞ୍ଛା ପୂରଣ ପାଇଁ ତାଙ୍କ ମସ୍ତକରେ ଜଳାଭିଷେକ କରନ୍ତି ଭକ୍ତ । ହେଲେ ଶିବଲିଙ୍ଗ ସମ୍ମୁଖରେ ସର୍ବଦା ବିଦ୍ୟମାନ ନନ୍ଦୀ ବୃଷଭକୁ ମହାଜଳାଭିଷେକ କରିଛନ୍ତି ଭକ୍ତ । ଟ୍ୟାଙ୍କ ଭର୍ତ୍ତି ଶୁଦ୍ଧ, ପୂତ ପବିତ୍ର ଗଙ୍ଗାଜଳରେ ନନ୍ଦୀ ମହାରାଜଙ୍କୁ ମହାସ୍ନାନ କରିଛନ୍ତି ଭକ୍ତ । ସମ୍ବଲପୁର ସୋମନାଥ ବାବା ମନ୍ଦିରରେ ଏଭଳି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
ମହାଦେବଙ୍କ ପରିବର୍ତ୍ତେ ନନ୍ଦୀଙ୍କୁ ଜଳଶାୟୀ କରିବା ପଛରେ ରହିଛି ଏହି କାରଣ । ସମ୍ବଲପୁର ବାଳିବନ୍ଧା ସ୍ଥିତ ସୋମନାଥ ବାବା ମନ୍ଦିରର ଥିବା ନନ୍ଦି ଭଗବାନଙ୍କ ଉପରେ ସମ୍ବଲପୁରର ଜଣେ ଭକ୍ତ ଏକ ଟ୍ୟାଙ୍କର ଗଙ୍ଗା ଜଳରେ ସ୍ନାନ କରାଇଛନ୍ତି । ମୋଦିପଡାର ବ୍ୟବସାୟୀ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଏହି ମନ୍ଦିରରେ ଗଙ୍ଗା ଜଳରେ ଜଳାଭିଷେକ କରନ୍ତି । ଏଥର ମଧ୍ୟ ସେ ଜଳାଭିଷେକ କରିବେ ବୋଲି ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ତେବେ ସେ ଯେତେବେଳେ ଗଙ୍ଗାଜଳ ନେଇ ପହଞ୍ଚିଥିଲେ ସେତେବେଳେ ସେଠାରେ ଅନ୍ୟ ଜଣେ ଭକ୍ତ ରୁଦ୍ରଭିଷେକ କରୁଥିଲେ। ଏହି ସମୟରେ ସେ ମନ୍ଦିର ଭିତରକୁ ଯିବାର ସୁବିଧା ନପାଇବାରୁ ବାହାରେ ଥିବା ନନ୍ଦୀଙ୍କୁ ଟ୍ୟାଙ୍କ ଭର୍ତ୍ତି ଗଙ୍ଗାଜଳ ଅଭିଷେକ କରିଛନ୍ତି ।