ସମ୍ବଲପୁର: ପୁଣି ଥରେ କୃତିତ୍ୱ ଅର୍ଜନ କଲା ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ । ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ଗ୍ରହଣ କଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (Veer Surendra Sai University of Technology)। ଦେଶ ଓ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ପ୍ରସ୍ତୁତ କଲେ ଏକ ଦୂରଦୃଷ୍ଟି ସମ୍ପର୍ଣ୍ଣ ଡିଫେନ୍ସ ପ୍ରୋଜେକ୍ଟ ।
ବୁର୍ଲା ଭିସୁଟର ଏକ ଦଳ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ସଂଗଠିତ ସମ୍ମାନଜନକ ପାନ-ଇଣ୍ଡିଆ ଇନୋଭେସନ ପ୍ରତିଯୋଗିତା "ଡେୟାର ଟୁ ଡ୍ରିମ ୩.୦"ର ତୃତୀୟ ସଂସ୍କରଣରେ ଦ୍ୱିତୀୟ ରନର ଅପ ହେବାସହ ୩ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି । ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପରିଚାଳିତ "ଆତ୍ମନିର୍ଭର ଭାରତ" ନିର୍ମାଣକୁ ଦୃଷ୍ଟିରେ ରଖି ଦେଶରେ ପ୍ରତିରକ୍ଷା ଏବଂ ମହାକାଶ ଗବେଷଣାରେ ନୂତନତ୍ୱ ସୃଷ୍ଟି ପାଇଁ ଉଭୟ ବ୍ୟକ୍ତି ବିଶେଷ ତଥା ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ବର୍ଷବ୍ୟାପୀ ପ୍ରତିଯୋଗିତାର ଆରମ୍ଭ ହୋଇଥିଲା । ଏହି କ୍ରମରେ ଡିଆରଡିଓର ବୈଜ୍ଞାନିକଙ୍କ ଦ୍ବାରା ଅନଲାଇନ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ସ୍କ୍ରିନିଂ ଟେଷ୍ଟ ଅନୁଷ୍ଠିତ ହେବାପରେ ଫଳାଫଳ, ୧୩ ଅକ୍ଟୋବର, ୨୦୨୨ରେ ଘୋଷଣା କରାଯାଇଥିଲା।
୨୦ ଅକ୍ଟୋବର ୨୦୨୨ରେ ଗୁଜୁରାଟର ଗାନ୍ଧୀନଗର ଡିଫେକ୍ସପୋ ୨୦୨୨ରେ ବିଜେତାମାନଙ୍କ ଉତ୍ସବର ଆୟୋଜନ କରାଯାଇଥିଲା ଯେଉଁଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଡିଆରଡିଓ ର ଅଧ୍ୟକ୍ଷ ସମୀର ଭି. କମାଟ ଉପସ୍ଥିତ ଥିଲେ । ବୁର୍ଲା ଭିସୁଟର ଅନ୍ତିମ ବର୍ଷର ଛାତ୍ର ସିଦ୍ଧାର୍ଥ ମହାନ୍ତି, ସୁଧାଂଶୁ ପାଣିଗ୍ରାହୀ, ଆହ୍ୱାନ ପ୍ରଧାନ, ଅଶୁଂମାନ ମହାପାତ୍ର, ରାଜଦୀପକ ମହନ୍ତୋ ଏବଂ ବିନୟ କୁମାର ମହନ୍ତୋଙ୍କୁ ନେଇ ଭିସୁଟର ଦଳ ଗଠିତ ହୋଇଥିଲା । ଏହି ଦଳ ଦୀର୍ଘ 2 ବର୍ଷ ଧରି ଏହି ପ୍ରୋଜେକ୍ଟ ଉପରେ ବିଭିନ୍ନ ଦିଗକୁ ଅନୁସନ୍ଧାନ କରି ଏହି ପ୍ରୋଜେକ୍ଟକୁ ସଫଳ କରିଛନ୍ତି । ଜୈବ ଯୁଦ୍ଧର ଆଗମନ ଏବଂ ଆଣବିକ ତଥା ରେଡିଓଲୋଜିକାଲ ଅସ୍ତ୍ରର ଅଗ୍ରଗତି ଆଧୁନିକ ଯୁଦ୍ଧର ରୂପରେଖକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ।