ସମ୍ବଲପୁର: ସାରା ରାଜ୍ୟରେ ଅଦିନିଆ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ମଧ୍ୟ ଏହି ଅଦିନିଆଁ ବର୍ଷା ଗତ ବୁଧବାର ରାତିରୁ ଜାରି ରହିଛି l ଝିପି ଝିପି ବର୍ଷା ସହ ମେଘୁଆ ପାଗ ଲାଗି ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣା ପଡିଛି l ବର୍ତ୍ତମାନ ଚାଷୀଙ୍କ ଖରିଫ ଋତୁର ଧାନ ଅମଳର ସମୟ ହୋଇଥିବା ବେଳେ କିଛି ଧାନ କ୍ଷେତରେ କାଟି ପଡି ରହିଛି । କିଛି ଧାନକୁ ଚାଷୀ କ୍ଷେତରୁ ଆଣି ଖଳାରେ ରଖିଥିବା ବେଳେ ଅଦିନିଆଁ ବର୍ଷା ଯୋଗୁଁ ଉଭୟ କ୍ଷେତ ଓ ଖଳାର ଧାନ ଭିଜି ଯାଇଛି l ଆଉ 2 ଦିନ ଏମିତି ପାଗ ଜାରି ରହିଲେ ଧାନ ଗଜା ହୋଇ ଯିବାର ସମ୍ଭାବନା ରହିଛି l କେତେକ ସ୍ଥାନରେ ଚାଷୀ ଅମଳ କରି ଆଣିଥିବା ଧାନ କୁ ପଲିଥିନ ଢାଙ୍କି ରଖି ଥିବା ଦେଖିବାକୁ ମିଳିଛି l
ଆଉ କିଛି ଦିନ ବର୍ଷା ହେଲେ ଆଉ ଶୁଖିଲା ପାଗ ନହେଲେ ଧାନର ଆଦ୍ରତା ବଢ଼ି ଯାଇ ଗଜା ହେବାର ସମ୍ଭାବନା ରହିଛି ବୋଲି ଚାଷୀ କହିଛନ୍ତି l ସେପଟେ ଗଜା ନହେଲେ ମଧ୍ୟ ଅଧିକ ଆଦ୍ରତା ବୃଦ୍ଧି ପାଇଲେ ମିଲର ମାନେ କମ ଦରରେ ଧାନ କିଣିବେ ବୋଲି ଚାଷୀ କହିଛନ୍ତି l ସମ୍ବଲପୁର ଜିଲ୍ଲାର 9 ଟି ଯାକ ବ୍ଲକ ର ବିଭିନ୍ନ ସ୍ଥାନରେ ଏହି ଭଳି ସମସ୍ୟା ଭୋଗୁଛନ୍ତି ଚାଷୀ l କୁଚିଣ୍ଡା ଉପଖଣ୍ଡ ର 3 ଟି ଯାକ ବ୍ଲକ ରେ ମଧ୍ୟ ଧାନ କ୍ଷେତ ଓ ଖଳାରେ ଧାନ ଭିଜୁଛି l କ୍ଷେତରେ ପାଣି ଥିବାରୁ କ୍ଷେତ ଭିତରକୁ ହାର୍ଭେଷ୍ଟର ମେସିନ ପଶି ପାରୁ ନଥିବାରୁ ଧାନ କଟା ପାଇଁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ର ସମ୍ଭାବନା ରହିଛି l ଏହା ସହ ପାଣିରେ ଧାନ ପଡି ରହିଲେ ଧାନର ରଙ୍ଗ ବଦଳି ଯିବ ଓ ଏହା ଦ୍ବାରା ମିଲର ଅଧିକ କଟନୀ ଛଟନୀ କରିବ ବୋଲି କୁଚିଣ୍ଡା ଅଞ୍ଚଳର ଚାଷୀ ଚିନ୍ତା ପ୍ରକଟ କରିଛନ୍ତି l